ନୂଆଦିଲ୍ଲୀ: ଜଷ୍ଟିସ ଅନୀଲ ପାନସାରେ ଜଣେ ୩୬ ବର୍ଷୀୟ ଶ୍ରମିକଙ୍କୁ ଦୋଷମୁକ୍ତ କରି କହିଛନ୍ତି ଯେ ଏହି ମାମଲାରେ ସରକାରୀ ଓକିଲ କେବଳ ସନ୍ଦେହ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି । ମହିଳା ବା ଯୁବତୀଙ୍କୁ ପିଛା କରିବା, ଗାଳି କରିବା ଓ ଧକ୍କା ମାରିବା ନିଶ୍ଚିତ ଭାବେ ଗୋଟିଏ ଖରାପ ଓ ବିରକ୍ତିକର କାମ ହୋଇପାରେ । କିନ୍ତୁ ଏହା ଆଇପିସିର ଧାରା ୩୫୪ ଅଧୀନରେ ଥିବା ନାରୀର ମର୍ଯ୍ୟାଦାହାନୀ ଜନିତ ଅପରାଧ ନୁହେଁ । ଗୋଟିଏ ମାମଲାର ଶୁଣାଣି କରିବା ବେଳେ ଏକଥା କହିଛନ୍ତି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । ଏଥିସହ ୱାର୍ଦ୍ଧାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ଜଣେ ବ୍ୟକ୍ତିଙ୍କୁ ନାଗପୁର ବେଞ୍ଚ ନିର୍ଦ୍ଧୋଷରେ ଖଲାସ କରିଛନ୍ତି । ଜଷ୍ଟିସ ଅନୀଲ ପାନସାରେ ଜଣେ ୩୬ ବର୍ଷୀୟ ଶ୍ରମିକଙ୍କୁ ଦୋଷମୁକ୍ତ କରି କହିଛନ୍ତି ଯେ ଏହି ମାମଲାରେ ସରକାରୀ ଓକିଲ କେବଳ ଯର୍ଥାର୍ଥ ସନ୍ଦେହ ବ୍ୟତୀତ ଆଉ କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିପାରି ନାହାନ୍ତି । ଜଣେ କଲେଜ ଛାତ୍ରୀ ୩୬ ବର୍ଷୀୟ ଶ୍ରମିକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଶ୍ରମିକ ଜଣଙ୍କ ତାଙ୍କୁ ଅନୁସରଣ କରିବା ସହ ବାରମ୍ବାର ଗାଳି କରୁଥିଲେ । ଗୋଟିଏ ଦିନ ସେ ମାର୍କେଟ ଯାଉଥିବା ବେଳେ ଶ୍ରମିକ ଜଣଙ୍କ ତାଙ୍କୁ ସାଇକେଲରେ ପିଛା କରିଥିଲେ । ଏହାପରେ ସେ ତାଙ୍କୁ ଧକ୍କା ଦେଇଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ।
ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ୨୦୧୬ ମସିହା ମେ’ ୯ରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେସନ୍ସ କୋର୍ଟ ୨୦୨୩ ଜୁଲାଇ ୧୦ରେ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ । କିନ୍ତୁ ଏବେ ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶ୍ରମିକଙ୍କ ଆବେଦନନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏହି ମାମଲାରେ ଆବେଦନକାରୀ ଅଭିଯୋଗକାରୀଙ୍କୁ ଆଦୌ ଅଭଦ୍ରଙ୍କ ଭଳି ସ୍ପର୍ଶ କରି ନାହାନ୍ତି କିମ୍ବା ତାଙ୍କ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗକୁ ଧକ୍କା ଦେଇ ନାହାନ୍ତି । ତେଣୁ ସେ ଲଜ୍ଜାବୋଧ କରିବାର କୌଣସି କାରଣ ନାହିଁ । ଆବେଦନକାରୀ ସାଇକେଲରେ ଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲେ । ଏହାକୁ କେବେ ହେଲେ ନାରୀର ମର୍ଯ୍ୟାଦାହାନୀ ମାମଲା ମଧ୍ୟରେ ବିଚାର କରାଯାଇ ପାରିବ ନାହିଁ ।
