ଆଜିର ନିଯୁକ୍ତି ମେଳା ହେଉଛି ୧୪ତମ ନିଯୁକ୍ତି ମେଳା ଏବଂ ପଞ୍ଚମ ବୃହତମ ନିଯୁକ୍ତି ମେଳା। ନିଯୁକ୍ତି ମେଳା-ନୂତନ ଭାବରେ ଚୟନୀତ ବିଭିନ୍ନ ବିଭାଗର ୧୫୪୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଠେଇଲେ ଦୁର୍ନୀତି ପ୍ରସଙ୍ଗ । ନବ ନିଯୁକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନିତୀ ମାମଲାରେ ତାଗିଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଜଣେ ଆଡିସନାଲ ତହସିଲଦାର ୭୫ ଲକ୍ଷ୍ୟ ଟଙ୍କା ଖଟରେ ସାଇତିକି ରଖିଛନ୍ତି । ସରକାରୀ ଅଧିକାରୀ ମାନଙ୍କଠୁ ପୁଳା ପୁଳା ପ୍ଲଟ, ଟଙ୍କା ଓ ସୁନା ବାହାରୁଛି ।
ରାଜ୍ୟରେ ଦୁର୍ନିତୀ ନିବାରଣ ସଂସ୍ଥା ଜୋରସୋରରେ କାମ କରୁଛି।ଯେଉଁ ମାନେ ଆଜି ନୂଆ ନିଯୁକ୍ତି ପାଉଛନ୍ତି ସେମାନେ ଦୁର୍ନିତୀ କରି ଟିଭି ଆଉ ଖବରରେ ନ ଆସନ୍ତୁ। ଏତିକି ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ‘ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା’। ପ୍ରାଥମିକ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଇନଥିଲା। କେବଳ ୫ଟି ରୁପାନ୍ତରଣ କଥା ଚିନ୍ତା କରିଥିଲେ। ଆଗରୁ ସ୍ମାର୍ଟ କ୍ଲାସ୍ ରୁମ୍ ନାଁରେ ଭଙ୍ଗା କାନ୍ଥରେ କେବଳ ଚୂନ ମରା ଯାଉଥିଲା। ସ୍ମାର୍ଟ ବୋର୍ଡ ନାଁରେ ଖାଲି ବୋର୍ଡ ଲଗାଉଥିଲେ। ଚାଷ ଜମିରୁ ଘାସ ଆଣି କ୍ୟାମ୍ପସରେ ଲନ କରିଥିଲେ। ପ୍ରାଥମିକ ନା ବିଶ୍ୱବିଦ୍ୟାଳୟ କୌଣସି ସ୍ତରରେ ସଫଳତା ମିଳିଲାନି। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସେଥିପାଇଁ ଆମ ସରକାର ମାନବ ସମ୍ବଳ ତିଆରି କରିବାର ଲକ୍ଷ୍ୟ ରଖିଛି। ଓଡ଼ିଶାକୁ ଶ୍ରେଷ୍ଠ ୫ଟି ରାଜ୍ୟରେ ସାମିଲ କରିବା ଆମର ଲକ୍ଷ୍ୟ ରହିବ ଏବଂ ଏଥିରେ ଆପଣମାନଙ୍କ ବଡ଼ ଭୂମିକା ରହିବ।
