ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିଛି । କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ବାଲେଶ୍ୱର ବସ୍ତା ବିଜେଡି ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି । ଗୋଟିଏ ଭୋଟ୍ ସଂତୃପ୍ତ ଓ ଆଉ ଗୋଟିଏ ଭୋଟ୍ ଦିଲ୍ଲୀପଙ୍କୁ ଦେଇଛି । ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଛି । ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ । ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ ।
ଅନ୍ୟପଟେ ଦଳୀୟ ହ୍ୱିପ୍ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀକୁ ଭୋଟ ଦେଇଥିବା ବିଧାୟିକା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ଆଜି ବିଜେଡ଼ି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସୁବାସିନୀ ବିଧାନସଭା ଯାଇପାରିନଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାନସଭା ଯାଇ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ସୁବାସିନୀ ସ୍ପଷ୍ଟୀକରଣ ଦେଇଛନ୍ତି ।
ସୂଚନା ଯୋଗ୍ୟ; ନିର୍ବାଚନରେ ବିଜେଡି ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ କ୍ରସ ଭୋଟିଂ ନେଇ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିଛି। ସୁବାସିନୀଙ୍କ ବାସଭବନ ଆଗରେ ଗର୍ଜିଛି ବିଜୁ ମହିଳା ଜନତା ଦଳ। ରାଜ୍ୟ ମହିଳା ସଭାପତି ସେହ୍ନାଙ୍ଗିନୀ ଛୁରିଆଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଶହ ଶହ ମହିଳା କର୍ମୀ ବିଧାୟିକାଙ୍କ ଘର ଘେରାଉ କରିଥିଲେ। ବିଧାୟିକା ସୁବାସିନୀ ଜେନା ଦଳୀୟ ଅନୁଶାସନ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନିର୍ବାଚନ ସମୟରେ ବିଶ୍ୱାସଘାତକତା କରି ଦଳକୁ ଅଡୁଆରେ ପକାଇଥିବା ନେଇ ସୁବାସିନୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲା ବିଜୁ ମହିଳା ଜନତା ଦଳ।
