ପୁରୀ (ଭିଓଭି): ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଜଳାଶୟ ଦଳରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଏହି ଜଳାଶୟଟି ଲୋକଙ୍କର କୌଣସି କାମରେ ଲାଗୁନାହିଁ। ସମ୍ପ୍ରତି ଏହି ଜଳାଶୟଟି ଘାସ ପଡିଆର ଭ୍ରମ ସୃଷ୍ଟି କରୁଛି। ଏକଦା ଏହି ଜଳାଶୟଟି ସ୍ଥାନୀୟ ଲୋକଙ୍କର ଅନେକ କାମରେ ଆସୁଥିଲା। ଲୋକମାନେ ସ୍ନାନ, ଶୌଚାଦି ସହ ମୃତକଙ୍କ କ୍ରିୟାକର୍ମ ପାଇଁ ବ୍ୟବହାର କରୁଥିଲେ। ଜାତୀୟ ରାଜପଥକୁ ଲାଗି ରହିଥିବା ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପାଖରେ ଥିବା ଏହି ଜଳାଶୟ ସତ୍ୟବାଦୀ ବ୍ଲକ୍ ଜୟପୁର ପଞ୍ଚାୟତ ଅଧିନରେ ରହିଛି। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏହା ସମ୍ପୂର୍ଣ୍ଣ ପରିତ୍ୟକ୍ତ। ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ଏହି ଜଳାଶୟକୁ ଯଦି ପୁନରୁଦ୍ଧାର କରାଯାଆନ୍ତା ତାହା ହେଲେ ସ୍ଥାନୀୟ ଲୋକମାନେ ବହୁଳ ଭାବେ ଉପକୃତ ହୋଇପାରନ୍ତେ। ସ୍ଥାନୀୟ ବାସିନ୍ଦା, ପଞ୍ଚାୟତ ଅଧିକାରୀ ଓ ବ୍ଲକ୍ ପ୍ରଶାସନିକ ଅଧିକାରୀମାନେ ଯତ୍ନବାନ ହେଲେ ଏହା ପୁଣିଥରେ ସ୍ଥାନୀୟ ଲୋକଙ୍କ କାମରେ ଲାଗିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
