କଟକ: ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ୧୯୮୬ ବ୍ୟାଚ୍ ତରଫରୁ ଏକ ଦନ୍ତ ଚିକିତ୍ସା ଶିବିର ବିଡାନାସୀ ସ୍ଥିତ ବସୁନ୍ଧରା ପରିସରରେ ଅନୁଷ୍ଠିତ ହେଇଯାଇଛି। ଏସ.ବି.ଏଚ.ଏସ-୮୬ ସାହାଯ୍ୟ ନାଁରେ ସରକାରୀ ପଂଜିକୃତ ହୋଇଥିଵା ଏହି ବ୍ୟାଚ୍’ର ସଭ୍ୟ-ସଭ୍ୟାମାନେ ବସୁନ୍ଧରାରର ଅନ୍ତେବାସୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ଦନ୍ତ ପରୀକ୍ଷା ଓ ପରାମର୍ଶ ପାଇଁ ଏହି ଶିବିରର ଆୟୋଜନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବ୍ୟାଚ୍ ତରଫରୁ ପ୍ରତିବର୍ଷ ହୋଲି ଓ ଦୀପାବଳି ବିଭିନ୍ନ ବୃଦ୍ଧାଶ୍ରମ କିମ୍ବା ଅନାଥାଶ୍ରମରେ ପାଳନ କରାଯାଏ। ଏହା ସହିତ ବର୍ଷର ବିଭିନ୍ନ ସମୟରେ ଦାତବ୍ୟ ଅନୁଷ୍ଠାନ ଏବଂ ବୋର୍ଡ ସ୍କୁଲ୍’ରେ ସ୍ଵାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଦନ୍ତ ଚିକିତ୍ସା ଶିବିର, ମେଧାବୀ ଛାତ୍ର-ଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ, କ୍ରୀଡା ଉପକରଣ ବଣ୍ଟନ କରାଯାଏ।

ସେହି କ୍ରମରେ ବସୁନ୍ଧରା ପରିସରରେ ମାଗଣା ଦନ୍ତ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୧୧୫ଜଣ ସେମାନଙ୍କର ଦାନ୍ତ ପରୀକ୍ଷା କରି ଡାକ୍ତରୀ ପରାମର୍ଶ ନେଇଥିଲେ। ଡାକ୍ତର ଅସୀମା ସାମଲ, ସ୍ଵସ୍ତିକ ଦାସ ଓ ଅରୋକୃଷ୍ଣ ମହାନ୍ତି ଉପସ୍ଥିତ ରହି ଦନ୍ତ ପରୀକ୍ଷା କରି ଚିକିତ୍ସା ସମ୍ବନ୍ଧୀୟ ମୁଲ୍ୟବାନ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜୋଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଶିବିର ଆରମ୍ଭ ହୋଇଥିଲା। ବସୁନ୍ଧରାର ସମ୍ପାଦିକା ଶୈଳ ବେହେରା ଓ ଅବସରପ୍ରାପ୍ତ ପ୍ରଶାସକ ବରଦା ପ୍ରସନ୍ନ ପଟ୍ଟନାୟକ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ଶତପଥୀ, ସରୋଜ କୁମାର ପଣ୍ଡା, ମମତା ମହାନ୍ତି, ମନସ୍ଵିନୀ ମିଶ୍ର, ପାର୍ଥ ପ୍ରତୀମ, ବି.କାନ୍ତାମା, ଅନିନ୍ଦ୍ୟ ସାମଲ, ସୁକାନ୍ତ ଶତପଥୀ, ମାନସ ମହାପାତ୍ର, ସୁଜନ କୁମାର ରାୟଚୈାଧୁରୀ, ତ୍ରିବିକ୍ରମ କର, ମାନସୀ ଧଳ, ଭାରତୀ କାନୁନଗୋ, ସୋନାଲି ପଟ୍ଟନାୟକ, ସରୋଜ ତ୍ରିପାଠୀ, ସୁଭାଶିଷ ମହାପାତ୍ର ଓ ସଂଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଦନ୍ତ ଚିକିତ୍ସା ଶିବିର ପରିଚାଳନାରେ ସହଯୋଗ କରିଥିଲେ।
