ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ । ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ଭାବ୍ୟତାକୁ ପ୍ରତିପାଦନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ରାଜ୍ୟ ସରକାର ନୂଆପଡା ଜିଲ୍ଲାରେ ହୀରା ପଥର ବାହାରିଥିବା ପ୍ରକାଶ କରିଛନ୍ତି। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ସେ କହିଛନ୍ତି ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି ।
ସେହିପରି ଦେବଗଡ଼ ଜିଲ୍ଲାରେ ତମ୍ବାବାହୀ ପଥର, ଗ୍ରାଫାଇଟ, ନିକେଲ ସହ ସୁନା ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନା ପଥର ଥିବା ସନ୍ଧାନ ମିଳିଛି । ସେ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ ।
