• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ହିନ୍ଦୁ ବିବାହ ଆଇନରେ ଛାଡ଼ପତ୍ର ବ୍ୟବସ୍ଥା

by Voice of Victims
February 13, 2024
in ଆଇନ କାନୁନ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ହିନ୍ଦୁ ବିବାହ ଆଇନରେ ଛାଡ଼ପତ୍ର ବ୍ୟବସ୍ଥା

ଭୁବନେଶ୍ବର: ପୂର୍ବ କାଳରେ ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବିବାହକୁ ପବିତ୍ର ଐଶ୍ୱରୀୟ ବନ୍ଧନ ଭାବେ ବିବେଚନା କରାଯାଉଥିଲା। ହିନ୍ଦୁ ବିବାହରେ ସମ୍ପନ୍ନ କରାଯାଉଥିବା କର୍ମ ମଧ୍ୟ ହୋମ ଯଜ୍ଞଠାରୁ କମ୍ ନ ଥିଲା। ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ ଏବଂ ଏହା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ପାଇଁ ଏକ ସ୍ୱର୍ଗୀୟ ସମ୍ପର୍କ ଭାବେ ପ୍ରତ୍ୟେକ ଗ୍ରହଣ କରୁଥିଲେ । ପୁରାଣ ଶାସ୍ତ୍ରରେ ପତି ପତ୍ନୀଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସ ଓ ତ୍ୟାଗର ସମ୍ପର୍କ ଉଦାହରଣ ଭାବେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣୀୟ ଥିଲା। ସ୍ୱାଧୀନୋତ୍ତର ଭାରତରେ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ହିନ୍ଦୁ ବିବାହ ଏକ ପବିତ୍ର ବନ୍ଧନ ଭାବେ ଆଇନ ସମ୍ମତ ଅଟେ । ମାତ୍ର ଅନ୍ୟାନ୍ୟ ଧର୍ମମାନଙ୍କରେ ଥିବା ଆଇନ ଅନୁସାରେ ପତି ଓ ପତ୍ନୀ ଦୁଇଟି ପକ୍ଷ ଓ ସେମାନଙ୍କ ମଧ୍ୟରେ ବିବାହ ଏକ ଚୁକ୍ତି ଅଟେ । ଯେକୌଣସି ସମୟରେ ପକ୍ଷମାନେ ଚାହିଁଲେ ନିଜର ଇଚ୍ଛା ଅନୁସାରେ ବିବାହ ବିଚ୍ଛେଦ କରି ପରସ୍ପର ଠାରୁ ଛାଡପତ୍ର ନେଇପାରିବେ ଓ ଚାହିଁଲେ ପୁନଶ୍ଚ ବିବାହ କରିପାରିବେ ।
              ଏଠାରେ ଏକଥା କହିବା ଉଚିତ ଯେ ହିନ୍ଦୁ ଆଇନ ଅନୁସାରେ ପ୍ରତ୍ୟେକ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମବିଲମ୍ବୀ ବ୍ୟକ୍ତିମାନେ ହିନ୍ଦୁ ଆଇନ ଦ୍ୱାରା ପରିଚାଳିତ ହୁଅନ୍ତି । ପୂର୍ବକାଳରେ ଭାରତ ବର୍ଷରେ ହିନ୍ଦୁ ବିବାହ କେବଳ ବଂଶ ରକ୍ଷା ନିମନ୍ତେ ଉଦ୍ଦିଷ୍ଠ ଥିବାରୁ ବିବାହ ବିଚ୍ଛେଦ ବା ଛାଡପତ୍ର ଭଳି ପ୍ରଥା ପ୍ରଚଳିତ ନ ଥିଲା । ଯେତେ ବାଧା, ବିଘ୍ନ, ସମସ୍ୟା, ମତାନ୍ତର ଓ ମନାନ୍ତର ଆସିଲେ ମଧ୍ୟ ସମାଜ ଓ ପରିବାରର ହିତ ଦୃଷ୍ଟିରୁ ଏକତ୍ର ବସବାସ କରିବା ପତି ପତ୍ନୀଙ୍କ ନିମନ୍ତେ ଧ୍ୟେୟ ଥିଲା ଏବଂ ନୈତିକ ଜୀବନ ଯାପନ କରିବା ପାଇଁ ସେମାନେ ପ୍ରେରିତ ଥିଲେ । ବର୍ତ୍ତମାନ ପ୍ରଚଳିତ ଆଇନ ଅନୁସାରେ ଯଦି ପତି ପତ୍ନୀ ଉଭୟ ନିଜ ନିଜର ସ୍ୱଇଚ୍ଛା ଓ ସହମତିରେ ବୈବାହିକ ସମ୍ପର୍କ ରଖିବାକୁ ନଚାହାନ୍ତି ଏବଂ ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦ କରିବାକୁ ଚାହାନ୍ତି, ସେମାନେ ଅଦାଲତରେ ଏକ ମିଳିତ ଦରଖାସ୍ତ କରିପାରିବେ । ସେଥିରେ ସେମାନେ ବିବାହ ବିଚ୍ଛେଦର ନିର୍ଦ୍ଧିଷ୍ଟ କାରଣ ପ୍ରକାଶ କରିବେ । କାରଣ ଅଦାଲତଙ୍କ ଆଦେଶ ବ୍ୟତୀତ ବିବାହ ବିଚ୍ଛେଦ ଅନ୍ୟ କୌଣସି ବାଟରେ ଗ୍ରହଣୀୟ ନୁହେଁ । ବର୍ଷେରୁ ଅଧିକ ସମୟ ଧରି ପୃଥକ ଭାବେ ରହିବା, ଏକାଠି ରହିବାକୁ ସମ୍ଭବପର ହେଉନଥିବା ଏବଂ ବିବାହ ବନ୍ଧନକୁ ନିଶେଃଷ କରି ଅଲଗା ରହିବା ନିଷ୍ପତ୍ତି ଇତ୍ୟାଦିକୁ ସେମାନେ କାରଣ ଭାବେ ଦର୍ଶାଇପାରିବେ । ଯଦି ଏପରି ମିଳିତ ଅପୋଷ ଛାଡପତ୍ର ଦରଖାସ୍ତ ଉଭୟ ପତି ପତ୍ନୀ ଦାଖଲ କରନ୍ତି, ଅଦାଲତ ଏହାକୁ ବିଚାର ନକରି ଛଅମାସ ପର୍ଯନ୍ତ ସ୍ଥଗିତ ରଖିବେ । ଏହି ସମୟକୁ Cooling Period କୁହାଯାଏ । ଏହି ସମୟ ମଧ୍ୟରେ ସେମାନଙ୍କ ପୁନର୍ମିଳନ ନିମନ୍ତେ ଏକ ସୁଯୋଗ ଦିଆଯାଏ ଏବଂ ସେମାନେ ଚାହିଁଲେ ବିବାହ ବିଚ୍ଛେଦକୁ ଏଡାଇ ଦିଆଯାଇପାରିବ । ଅଦାଲତ ମଧ୍ୟ ସେମାନଙ୍କୁ ଡାକି ବୁଝାଇ ମିଳାମିଶା କରାଇବା ପାଇଁ ଏକ ଅବକାଶ ଦେବାର ବ୍ୟବସ୍ଥା ଅଛି । ଯଦି ଛଅମାସ ମଧ୍ୟରେ ପୁନର୍ମିଳନ ନହୁଏ ତେବେ ଅଦାଲତକୁ ସେମାନେ ଜଣାଇଲେ ଛାଡପତ୍ର ମଞ୍ଜୁର ହୁଏ । ଛାଡପତ୍ର ଆଦେଶ ପାଇବା ପୂର୍ବରୁ ଉଭୟ ଚାହିଁଲେ ଦରଖାସ୍ତ ପ୍ରତ୍ୟାହାର କରି ମିଳିମିଶି ସ୍ୱାମୀ ସ୍ତ୍ରୀ ଭାବେ ମଧ୍ୟ ରହିପାରିବେ । ଆଇନର ବ୍ୟବସ୍ଥା ଅନୁସାରେ ପତ୍ନୀ କେତେକ ନିର୍ଦ୍ଧିଷ୍ଟ କାରଣ ଆଧାରରେ ପତିଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିପାରିବେ । ପତ୍ନୀଙ୍କୁ ପନ୍ଦର ବର୍ଷ ହେବା ପୂର୍ବରୁ ଯଦି ତାଙ୍କର ବିବାହ ହୋଇଥାଏ, ତାଙ୍କୁ ପନ୍ଦର ବର୍ଷ ହେବା ପରେ ଏବଂ ଅଠର ବର୍ଷ ହେବା ପୂର୍ବରୁ ସେ ବିବାହକୁ ପ୍ରତ୍ୟାଖାନ କରିପାରିବେ । ପତି ଯଦି ଅନ୍ୟ କୌଣସି ମହିଳା ପ୍ରତି ଯୌନ ଅପରାଧ କିମ୍ବା ଦୁଷ୍କର୍ମ କରନ୍ତି ତେବେ ପତ୍ନୀ ତାଙ୍କ ଠାରୁ ଛାଡପତ୍ର ଦାବି କରିପାରିବେ । ହିନ୍ଦୁ ବିବାହ ଆଇନ ଅନୁସାରେ ବିବାହ କରିବା ପରେ ଯଦି ପତି ପ୍ରଥମ ପତ୍ନୀର ଜୀବଦ୍ଦଶାରେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରନ୍ତି, ପ୍ରଥମ ପତ୍ନୀ ଛାଡପତ୍ର ନେଇପାରିବେ । ଏହାଛଡା ପତ୍ନୀ ଯଦି ପତିଙ୍କ ଠାରୁ ଅଦାଲତଙ୍କର ଆଦେଶ ଅନୁସାରେ ଭରଣପୋଷଣ ପାଉଛନ୍ତି ଏବଂ ଏକବର୍ଷରୁ ଅଧିକ ଧରି ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନାହିଁ ତେବେ ମଧ୍ୟ ପତ୍ନୀ ଛାଡପତ୍ର ମାଗିପାରିବେ । ଉପରୋକ୍ତ କାରଣ ଛଡା ଉଭୟ ପତିପତ୍ନୀଙ୍କ ବିବାହ ବିଚ୍ଛେଦର ଅଧିକାର କେବଳ କେତେକ ନିର୍ଦ୍ଧିଷ୍ଟ କାରଣ ଆଧାରରେ ପର୍ଯ୍ୟବେଶିତ ଅଛି । ସେଗୁଡିକ ହେଲା (୧) ପରକୀୟା ପ୍ରୀତି (୨) ନିଷ୍ଠୁରତା (୩) ବର୍ଜନ (୪) ଧର୍ମାନ୍ତକରଣ (୫) ମାନସିକ ବିକୃତ (୬) ଦୂରାରୋଗ୍ୟ କୁଷ୍ଠବ୍ୟାଧି (୭) ସଂସାର ତ୍ୟାଗ (୮) ମୃତ୍ୟୁ ଧାରଣା ଓ (୯) ନ୍ୟାୟିକ ପୃଥକକୀକରଣ ଆଦେଶରେ ଅବମାନନା ଇତ୍ୟାଦି । ଯଦି କୌଣସି ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ସ୍ୱାମୀ କିମ୍ବା ସ୍ତ୍ରୀର ଅଗୋଚରରେ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖନ୍ତି ତାହା ଛାଡପତ୍ରର ଏକ ନ୍ୟାର୍ଯ୍ୟ କାରଣ ହୋଇପାରିବ । ସେହିପରି ମାନସିକ ଯନ୍ତ୍ରଣା ବା ଦୁର୍ବ୍ୟବହାର ଅସହ୍ୟ ହେଲେ ବା ଏପରି ଯନ୍ତ୍ରଣା ଦ୍ୱାରା ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥା ବା ମର୍ଯ୍ୟାଦା ହାନି ଘଟିଲେ ନିଷ୍ଠୁରତା ପ୍ରଦର୍ଶନ କରୁଥିବା ପତି କିମ୍ବା ପତ୍ନୀଙ୍କ ବିରୁଦ୍ଧରେ ନିଷ୍ଠୁରତାର ଶିକାର ହେଉଥିବା ବ୍ୟକ୍ତି ଛାଡପତ୍ର ପାଇଁ ଆବେଦନ କରିପାରିବେ । ସେହିପରି ଦମ୍ପତ୍ତିମାନଙ୍କ ମଧ୍ୟରୁ ଜଣକର ବିନା ସହମତିରେ ଅନ୍ୟ ଜଣେ ତାଙ୍କୁ ପରିତ୍ୟାଗ କରି ବା ବର୍ଜନ କରି ଅନ୍ୟ କେଉଁଠି ଦୁଇବର୍ଷ ପର୍ଯ୍ୟନ୍ତ ରହିଲେ ତାହା ମଧ୍ୟ ଛାଡପତ୍ର ଆବେଦନ କରିବାର ଏକ କାରଣ ହେବ । ନିଜର ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମକୁ ଧର୍ମାନ୍ତକରଣ ହେଲେ ତାହା ବି ବିବାହ ବିଚ୍ଛେଦର ଏକ କାରଣ ଭାବେ ବିବେଚନା କରାଯାଏ । ଚିକିତ୍ସା ସତ୍ତ୍ୱେ ଆରୋଗ୍ୟ ନହୋଇ ନିରବଛିନ୍ନ ଭାବେ ମାନସିକ ବିକୃତି ରହିଲେ ତାହା ମଧ୍ୟ ଛାଡପତ୍ର ଆଦେଶରେ ଏକ କାରଣ ଭାବେ ସ୍ୱୀକୃତ । କୌଣସି ବ୍ୟକ୍ତି ସଂକ୍ରାମକ କୁଷ୍ଠ ବ୍ୟାଧି କିମ୍ବା ଯୌନରୋଗରେ ପୀଡିତ ହେଲେ ତାଙ୍କର ପତି କିମ୍ବା ପତ୍ନୀ ବିବାହ ବିଚ୍ଛେଦ ଦାବି କରିପାରିବେ । ସଂସାର ଛାଡି ସ୍ୱଇଚ୍ଛାରେ ଜଣେ ସନ୍ୟାସୀ କିମ୍ବା ସନ୍ୟାସିନୀ ହେଲେ ଅନ୍ୟ ପକ୍ଷ ଛାଡପତ୍ର ନେଇପାରିବେ । ଦୀର୍ଘ ସାତବର୍ଷ ଅଧିକ କାଳ ଧରି ଜଣେ ବ୍ୟକ୍ତିର କୌଣସି ଖୋଜ ଖବର ନମିଳିଲେ ଏହାକୁ ତାଙ୍କର ଅବଧାରିତ ମୃତ୍ୟୁ ଭାବେ ବିବେଚନା କରାଯିବ ଏବଂ ତାଙ୍କର ପତି କିମ୍ବା ପତ୍ନୀ ଛାଡପତ୍ର ଆବେଦନ କରିପାରିବେ । ସେହିପରି ଦାମ୍ପତ୍ୟ ଜୀବନ ବିତାଇବା ପାଇଁ ଅଦାଲତଙ୍କ ଆଦେଶ ସତ୍ତ୍ୱେ ଯଦି ପତି ପତ୍ନୀ ନିଜର ଦାମ୍ପତ୍ୟ ଜୀବନକୁ ମିଳିମିଶି ଅତିବାହିତ କରୁନାହାନ୍ତି କିମ୍ବା ବୈବାହିକ ସମ୍ପର୍କ ସ୍ଥାପନ କରୁନାହାନ୍ତି ତାହା ମଧ୍ୟ ଛାଡପତ୍ରର ଏକ କାରଣ ହେବ । ଅଦାଲତଙ୍କ ଆଦେଶ ଅନୁସାରେ ଯଦି ପତି ପତ୍ନୀ ପୃଥକ ପୃଥକ ଭାବେ ବସବାସ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ବର୍ଷରୁ ଅଧିକ କାଳ ଧରି କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହେଇନାହିଁ, ତାହା ମଧ୍ୟ ବିବାହ ବିଚ୍ଛେଦର ଏକ ଆଇନଗତ କାରଣ ହେଇପାରିବ । ଉପରୋକ୍ତ କାରଣ ଗୁଡିକ ବ୍ୟତୀତ, ୨୦୦୬ ମସିହାରେ ନବୀନ କୋହଲି ବନାମ ନିଲୁ କୋହଲି ଏବଂ ଶେଷରେ ୨୦୧୯ ମସିହାରେ ଆର. ଶ୍ରୀନିବାଶ କୁମାର ବନାମ ସାମେଥା ମକଦ୍ଦମା ଗୁଡିକରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଅସଜଡା ଭଗ୍ନବିବାହ ବା “Irretrievable breakdown of marriage” ବିବାହ ବିଚ୍ଛେଦର ଏକ କାରଣ ଭାବେ ଗ୍ରହଣ କରିଛନ୍ତି । କୋର୍ଟଙ୍କ ମତରେ ଯଦି ସ୍ୱାମୀ ସ୍ତ୍ରୀ ପରସ୍ପର ସଂସାର କରିବା ସମ୍ଭବ ନୁହେଁ କିମ୍ବା କେହି କାହା ସହ ସମ୍ପର୍କ ସ୍ଥାପନ କରିବା ଅବସ୍ଥାରେ ନଥିବାର ପ୍ରକାଶ କରନ୍ତି, ତେବେ ବିବାହ ବିଚ୍ଛେଦ ପାଇଁ ଏହାକୁ ମଧ୍ୟ ଏକ କାରଣ ଭାବେ ଗ୍ରହଣ କରାଯିବ । ହିନ୍ଦୁ ବିବାହ ଆଇନ କିମ୍ବା ସ୍ୱତନ୍ତ୍ର ବିବାହ ଆଇନରେ ଏପରି ଆଧାର ଲିପିବଦ୍ଧ ନଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟକୁ ଭାରତୀୟ ସମ୍ବିଧାନର ଧାରା ୧୪୨ ଅନୁସାରେ ଆଇନ ଭାବେ ଗ୍ରହଣ କରାଯିବ । ପୂର୍ବରୁ ବିବାହ ଓ ଛାଡପତ୍ର ସମ୍ବନ୍ଧୀୟ ମାମଲା ଗୁଡିକ ଦେୱାନୀ ଅଦାଲତରେ ବିଚାର କରାଯାଉଥିଲା । ଅଦାଲତରେ ସଂଖ୍ୟାଧିକ ମାମଲା ବିଚାର କରିବା ସମୟ ସାପେକ୍ଷ ଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିଲା । ପାରିବାରିକ ଓ ବୈବାହିକ ମକଦ୍ଦମା ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ପରିବାର ଅଦାଲତ ପ୍ରତିଷ୍ଠା କରାଗଲା । କାରଣ ଏପରି ମକଦ୍ଦମା ଗୁଡିକର ବିଚାର ବିଳମ୍ବ ହେଲେ ଛାଡପତ୍ର ପାଇବାପରେ ମଧ୍ୟ ଉଭୟ ପକ୍ଷଙ୍କର ଦ୍ୱିତୀୟ ବିବାହ କରିବା ବୟସାଧିକ କାରଣରୁ ଏକ ଦୂରୁହ ବ୍ୟାପାର ହୋଇପଡେ । ସୁତରାଂ ପରିବାର ଅଦାଲତ ଏକ ସ୍ୱତନ୍ତ୍ର ଅଦାଲତ ହୋଇଥିବାରୁ ଛାଡପତ୍ର ମାମଲାରେ ପକ୍ଷମାନଙ୍କ ପ୍ରତ୍ୟାଶିତ ଦ୍ୱିତୀୟ ବିବାହକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ବିଚାର କରିବା ଉଚିତ, ନଚେତ ଆଇନର ଉଦ୍ଦେଶ୍ୟ ପଣ୍ଡ ହେବ ।

Post Views: 167
Share202Tweet127Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In