ସତ୍ୟବାଦୀ (ଭିଓଭି) ୦୮-୧୦-୨୦୨୫ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ଅକ୍ଟୋବର ୩୧ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାକ୍ଷୀଗୋପାଳର ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ପବିତ୍ର ଅଁଳା ନବମୀ ଓ ମା ରାଧାରାଣୀ ଙ୍କର ପବିତ୍ର ଦିବ୍ୟ ପାଦ ଦର୍ଶନ ଉତ୍ସବ ଓ ୨ ତାରିଖରେ ବଡ଼ ଏକାଦଶୀ ପାଇଁ ପ୍ରଥମ ସମନ୍ବୟ ବୈଠକ ପଞ୍ଚସଖା ସମାଧିପୀଠ ପାଠାଗାର ସଭାଗୃହ ରେ ଶ୍ରୀ ଶ୍ରୀ ସତ୍ୟବାଦୀ ଗୋପୀନାଥ ଦେବ ଦେବୋତ୍ତର ବିଭାଗଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଉପ ଜିଲ୍ଲାପାଳ, ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକ, ସାକ୍ଷୀଗୋପାଳ ସେବାୟତ ସଂଘ ସଭାପତି, ସଂପାଦକ ଓ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ଗଣପର୍ବ କିଭଳି ଶୃଙ୍ଖଳିତ ଭାବରେ ପରିଚାଳିତ ହେବ ତାହା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆଇନଶୃଙ୍ଖଳା ପରିସ୍ଥିତି, ଯାନବାହାନ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଆରୋପ କରି ଉପସ୍ଥିତ ଅଧିକାରୀ ମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁଁ ଅନୁରୋଧ କରାଯାଇଥିଲା। ଉପସ୍ଥିତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ କି ଏଥର ପାସ ବଣ୍ଟନରେ ଅନିୟମିତତା କୁ ରୋକା ଯିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
ଅନ୍ୟ ଏକ ପ୍ରଶ୍ନରେ ବିଧାୟକ ପାର୍କିଂ ରୁ ଲୋକଙ୍କୁ ଆଣିବା ପାଇଁ ଦଶ ଗୋଟି ବ୍ୟାଟେରୀ ଗାଡ଼ିର ବନ୍ଦୋବସ୍ତ କରାଯାଇଛି ବୋଲି ଉତ୍ତର ରଖିଥିଲେ। ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା, ଦୁର୍ଘଟଣା ଜନିତ ଅସୁବିଧା ବେଳେ ଅଗ୍ନିଶମ ବିଭାଗର ତତ୍ପରତା ଓ ଭିଡ ପରିଚାଳନା ଓ ଧାଡ଼ି ଦର୍ଶନ ରେ ଶୃଙ୍ଖଳା ରଖିବା ପାଇଁଁ ଅଧିକ ଆରକ୍ଷୀ ବଳ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ସର୍ବୋପରି ଯେହେତୁ ଏହି ଗଣପର୍ବ ଭକ୍ତମାନଙ୍କ ଭାବାବେଗ ସହିତ ଜଡିତ ତେଣୁ କୈାଣସି ଜଣେ ଭକ୍ତ ଯେମିତି ଅସୁବିଧା ଭୋଗ ନକରେ ସେଥିପାଇଁ ସମସ୍ତ ଅଞ୍ଚଳବାସିନ୍ଦା ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନିକ ଅନୁରୋଧ କରାଯାଇଥିଲା।
