• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଜଳ ପ୍ରଳୟ

by Voice of Victims
September 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଜଳ ପ୍ରଳୟ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାବେଳେ ସର୍ବାଧିକ ବର୍ଷା ୨୫୩ମିମି ମାଲକାନଗିରିରେ ହୋଇଛି। ଗତ ୨୪ ଘଣ୍ଟାରେ ୨୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏମିତିକି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମାଲାକାନଗିରି ଜିଲ୍ଲାପାଳ ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କାଲିମେଳା ବ୍ଲକ୍ ଏମଭି-୪୦ ଗାଁ ଭିତରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି। ଘରଦ୍ୱାର ଓ ଆସବାବପତ୍ର ସବୁକିଛିକୁ ବନ୍ୟାଜଳରେ ଭାସୁଛି। ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଚାଲୁଥିବାରୁ ମାଲକାନଗିରି ଓ ମୋଟୁ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ବ୍ରିଜ୍ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଯୋଡ଼ାମ୍ବ, ପଣସପୁଟ, ଅଣ୍ଡରା ପାଲି, ଯନ୍ତ୍ରୀ, ଗାଜଳମାମୁଡ଼ି ଭଳି ୫ଟି ପଞ୍ଚାୟତ। ପାଣିର ସୁଅ ଯୋଡ଼ାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବି ଧସେଇ ପଶିବାରୁ ଗୁରୁତର ପ୍ରଭାବିତ ହୋଇଛି ରୋଗୀସେବା। ନଷ୍ଟ ହୋଇଛି ମେଡିକାଲର ଔଷଧ, ନଥି ଓ ଆସବାବପତ୍ର। ଚିତ୍ରକୋଣ୍ଡାର ପିଲିଗାଡାଠାରେ ଥିବା ରାଜ୍ୟ ରାଜପଥରେ ଏକ ବ୍ରିଜ ଧୋଇଯିବା ଫଳରେ ଓଡ଼ିଶା ସହ ଆନ୍ଧ୍ର ଓ ତେଲେଙ୍ଗାନାକୁ ଏଇ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଜି ସକାଳେ ଏହି ବ୍ରିଜ୍ ସହ ପାଣିର ପ୍ରଖର ସୁଅ ଧୋଇ ନେଇଛି ପ୍ରାୟ ୨ ଶହ ମିଟର ରାସ୍ତା। ତା’ ସହ ନିକଟରେ ନିର୍ମାଣାଧୀନ ଥିବା ଏକ ବ୍ରିଜ୍‌ରେ ଲାଗିଥିବା ଠିକା ସଂସ୍ଥାର ଏକ ଜେସିବି ଓ ରୋଲର ଆଦି ସବୁ କିଛି ଭସାଇ ନେଇଛି। ଲଗାଣ ବର୍ଷା ଫଳରେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ଭାଳବ ଛକ ନିକଟରେ ମାଟି ଅତଡା ଧସିବା ଫଳରେ ଚିତ୍ରକୋଣ୍ଡା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଜୟପୁର ଏବଂ କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ସହରରେ ଗତ ୨୪ ଘଣ୍ଟାରେ ୨୫୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚିତ୍ରକୋଣ୍ଡାରେ ୨୨୫, କୋରୁକୁଣ୍ଡାରେ ୨୦୦, ମାଥିଲିରେ ୧୫୦ ଓ ପଡ଼ିଆରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷେ ସମ୍ଭାବ୍ୟ ଲଗାଣ ବର୍ଷା ଯୋଗୁ ସହରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ଭାଗରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ପୌରାଞ୍ଚଳକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ବିତ୍ପାତ ପରେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ମାଲକାନଗିରି ଜିଲ୍ଲା ନୋଡାଲ ଅଫିସର ତଥା ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରିରେ ରହି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବାର ଆଶଙ୍କା ଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସମସ୍ତ ମହାନଗର ନିଗମର କମିଶନରଙ୍କ ସମେତ ପୌରା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ତୁରନ୍ତ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯିବା ସହ ଖାଲୁଆ ତଥା ତଳିଆ ଅଞ୍ଚଳଗୁଡ଼ିକ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବା, ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ହେଲେ ଆବଶ୍ୟକ ପଦକ୍ଷେପ ନେବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଏପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪ଟି ଆଶ୍ରୟସ୍ଥଳୀ କରାଯାଇଛି। ଜିଲ୍ଲାର ୫୪୮ଟି ପରିବାରର ୧୭୬୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୦୨୨ ଜଣ, ମହିଳାଙ୍କ ସଂଖ୍ୟା ୬୦୨ ଜଣ, ଶିଶୁଙ୍କ ସଂଖ୍ୟା ୧୪୩ ଜଣ ବୋଲି ଜଣାପଡିଛି। ସମସ୍ତ ୧୪ଟି ଅସ୍ଥାୟୀ ଆଶ୍ରୟସ୍ଥଳିରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଗତକାଲି ରାତିରେ କାମ କରୁଥିବା ୩ ଜଣ ଶ୍ରମିକ ଏମଭି-୩୯ର ଏକ ଘର ଉପରେ ଫସି ରହିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ। ଜିଲ୍ଲାରେ ବିଶେଷକରି ମୋଟୁ, ଏମପିଭି-୧୬, ବଦଲି, ଏମଭି-୭,ଏମଭି-୩,ମାଲକାନଗିରି ପୌର ପରିଷଦର ୩,୬ ଏବଂ ୮ ନମ୍ବର ୱାର୍ଡ, ଉଣ୍ଡୁରୁକୋଣ୍ଡା, ଏମଭି-୫୭, ବଣ୍ଡାଘାଟି, ଚିତ୍ରକୋଣ୍ଡା ଭଳି ଅଞ୍ଚଳ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଇ ଆସନ୍ତା ୭ ଦିନ ମଧ୍ୟରେ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ କେତେ ପରିମାଣର ଚାଷ ଜମି ନଷ୍ଟ ହୋଇଛି ତାହା ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ କରାଯାଇ ଅନୁକମ୍ପା ପ୍ରଦାନ କରାଯିବ। ରିପୋର୍ଟ ଅନୁଯାୟୀ ୧୧ଟି କଚ୍ଚା ଘର ଭାଙ୍ଗିଥିବା କୁହାଯାଉଥିବା ବେଳେ ଏହା ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ୬ଟି ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକ ବ୍ଲକରେ ୫ଟି ଲେଖାଏଁ ଟିମର ଅଗ୍ନିଶମ କର୍ମଚାରୀ ରହିଛନ୍ତି। ସମସ୍ତ ବନ୍ୟା ଅଞ୍ଚଳରେ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଥିବାରୁ କୌଣସି ଯାନବାହାନକୁ ଛଡାଯାଉ ନାହିଁ। ଅଗ୍ନିଶମ କର୍ମଚାରୀ ବୋଟ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଉଛନ୍ତି। ପ୍ରଶାସନ ତରଫରୁ ସମସ୍ତ ଅଧିକାରୀ୍‌ଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଆଜି ଲଘୁଚାପଜନିତ ବର୍ଷାର ସ୍ଥିତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସମୀକ୍ଷା କରିଛନ୍ତି। ରାଜୀବ ଭବନରେ ଏସ୍‌ଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ମୁତୟନ ହୋଇଛନ୍ତି ୬ ଏନଡିଆରଏଫ ଟିମ। ସେପଟେ ବର୍ଷା ପ୍ରଭାବିତ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବ। ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟର ୬ ବ୍ଲକ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକାଲ ବଡି ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।(ଦେବୀ)

Post Views: 111
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In