ରଣପୁର (ଭିଓଭି): ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ପୁରୁଣାବସନ୍ତ ନିକଟସ୍ଥ ନାରାୟଣୀ ମନ୍ଦିର ନିକଟରେ ରଣପୁର ଏନଏସିର ପୂର୍ବତନ ଏନଏସି ଉପାଧ୍ୟକ୍ଷ ତଥା ପୂର୍ବତନ ସମିତି ସଭ୍ୟ ଟୁଲୁ ପ୍ରହରାଜ ନିଜ ସମର୍ଥକମାନଙ୍କ ସହ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି । ପ୍ରିୟବ୍ରତ ପ୍ରହରାଜ ବିଜେପିର ଜଣେ ପୁରାତନ ସଂଗଠକ ଥିବା ବେଳେ ମଣ୍ଡଳ ସଭାପତି ଦାୟିତ୍ୱ ତୁଲାଇବା ସହ ଦୁଇ ଥର ସମିତି ସଭ୍ୟ ହୋଇଥିଲେ। ହେଲେ ଗତ ଦଶବର୍ଷ ତଳେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଦଳରେ ସାମିଲ ହୋଇଥିଲେ । ଏପରିକି ବିଜେଡିର ଜଣେ ଆଗଧାଡ଼ିର ସଂଗଠକ ଭାବେ କାର୍ଯ୍ୟକରିବା ସହ ବିଗତ ଦିନରେ ସେ ରଣପୁର ଏନଏସି ଉପାଧ୍ୟକ୍ଷ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିଲେ । ଗତ ଏନଏସି ନିର୍ବାଚନରେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରି ତାଙ୍କ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପୁନର୍ବାର ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଶୁକ୍ରବାର ତାଙ୍କର ଘର ବାହୁଡା ହେଲା ବୋଲି କୁହାଯାଉଛି । ଶୁକ୍ରବାର ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟିକା ପ୍ରାର୍ଥୀ ସୁରମା ପାଢୀଙ୍କ ଉପସ୍ଥିତିରେ ଏନଏସିର ପ୍ରେମାନନ୍ଦ ମହାନ୍ତି, ସୁଶାନ୍ତ ମହାନ୍ତି, ଅଭିନ୍ନ ନାୟକ, ପବିତ୍ର ପ୍ରଧାନ, ସନ୍ତୋଷ ପ୍ରଧାନ, ନିଳାଦ୍ରୀ ନାୟକ, ବେଣୂଧର ରଣା, ଦେବରାଜ ବେହେରା, କୃପାସିନ୍ଧୁ ବେହେରା, ସନତ ପୃଷ୍ଟି ସମେତ ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସାଂସଦ ପ୍ରାର୍ଥୀ ଶ୍ରୀ ପାତ୍ର ଓ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ପାଢୀ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ ।
