ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ଚାରିଟି ନୂଆ ଶ୍ରମ ଆଇନ। ୨୯ଟି ପୁରୁଣା ଶ୍ରମ ଆଇନକୁ ସମାପ୍ତ କରି ଏହି ସ୍ଥାନରେ ୪ଟି ନୂଆ ଶ୍ରମ ଆଇନ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏହି ଚାରିଟି ଶ୍ରମ ଆଇନଗୁଡିକ ହେଲା କୋଡ ଅନ ୱେଜେସ ୨୦୧୯, ଇଣ୍ଡଷ୍ଟ୍ରିଆଲ ରିଲେସନ୍ସ କୋଜ ୨୦୨୦, କୋଡ ଅନ ସୋସିଆଲ ସିକ୍ୟୁରିଟି ୨୦୨୦, ଅକୁପେସନାଲ ସେଫଟି, ହେଲଥ, ୱାର୍କି କଣ୍ଡିସନ କୋଡ ୨୦୨୦ ଲାଗୁ କରାଯାଇଛି ।
ଏହି ନୂଆ କୋଡ ଲାଗୁ ହେବା ପରେ ଠିକ ସମୟରେ ଦରମା, ନିଯୁକ୍ତି ବେଳେ ନିଯୁକ୍ତି ପତ୍ର, ବର୍ଷକର ଚାକିରି ପରେ ଗ୍ରାଚ୍ୟୁଇଟି, ୪୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସୁବିଧା ମିଳିବ। ଏହି ନୂଆ ଆଇନଗୁଡିକ ଲାଗୁ ହେବା ଦ୍ୱାରା ଅନୌପଚାରିକ କ୍ଷେତ୍ର, ସ୍ୱିଗି, ଜୋମାଟୋ, ବ୍ଲିଙ୍କ ଇଟ୍ ଭଳି ସଂସ୍ଥାରେ କାମ କରୁଥିବ କର୍ମଚାରୀ, ପ୍ରବାସୀ ଶ୍ରମିକ, ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା ମହିଳା କର୍ମଚାରୀମାନେ ଉପକୃତ ହେବେ ।
ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ, ଇଏସଆଇ, ବୀମା ଭଳି ସୁବିଧା ସହ ସାମାଜିକ ସୁରକ୍ଷା ଯୋଗାଇଦେବା ବାଧ୍ୟତାମୂଳକ ହେବ। ସେହିପରି କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ନିଯୁକ୍ତି ବେଳେ ନିଯୁକ୍ତି ପତ୍ର ଓ ସର୍ବନିମ୍ନ ଦରମା ଦେବାକୁ ପଡିବ। ଠିକ ସମୟରେ ଦରମା ପ୍ରଦାନ କରିବା ବାଧ୍ୟତାମୂଳକ ହେବା ସହ କର୍ମଚାରୀଙ୍କ ଚାପ କମାଇବା ବାଧ୍ୟତାମୂଳକ ହେବ। ସମାନ କାମ ପାଇ ସମାନ ଦରମା ନୀତି ଦ୍ୱାରା ମହିଳା କର୍ମଚାରୀମାନେ ଉପକୃତ ହେବେ। ମହିଳାମାନଙ୍କୁ ନାଇଟ ସିଫ୍ଟରେ କାମ କରିବାକୁ ଅନୁମତି ମିଳିବ।
କର୍ମଚାରୀମାନଙ୍କ ପାଇଁ କ୍ୟାଣ୍ଟିନ, ପିଇବା ପାଣି, ବିଶ୍ରାମ ଗୃହ ଭଳି ବ୍ୟବସ୍ଥା ରହିବ। ସେହିପରି ଗଣମାଧ୍ୟମ ସଂସ୍ଥା ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କୁ ପଦ, ଦରମା ଉଲ୍ଲେଖ ଥିବା ନିଯୁକ୍ତି ପତ୍ର, ସର୍ବନିମ୍ନ ଦରମା ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ସମୟ ପରେ କାମ କଲେ ଓଭର ଟାଇମ ପ୍ରଦାନ କରିବାକୁ ବିଲରେ ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ ସେମାନଙ୍କ ଅନୁମତି ନେବାକୁ ପଡିବ ଏବଂ ଏଥିପାଇଁ ଦୁଇ ଗୁଣ ଅଧିକ ଦରମା ଦେବାକୁ ପଡିବ।
