କଟକ –ବଳଭଦ୍ରପୁର ଯୁବକ ସଙ୍ଘର ଆନୁକୂଲ୍ୟରେ ଏକ ମାଗଣା ଫିଜିଓଥେରାପି ଶିବିର ସ୍ଥାନୀୟ ଯୁବକ ସଙ୍ଘ କ୍ଲବ ଗୃହରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଦିବା ୮ଟାରୁ ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଚିକିତ୍ସା ସେବା ପ୍ରଦାନ ପାଇଁ ଓଲ୍ଟୋପୁର, କଟକସ୍ଥିତ “ଶିବନିରତାର”ର ନିର୍ଦେଶକ ଡାକ୍ତର ପତିତପାବନ ମହାନ୍ତି, ଡାକ୍ତର ସାସ୍ୱତୀ ଶୁଚିସ୍ମିତା ଓ ତାଙ୍କ ୧୦ ଜଣିଆ ଦଳ ସହ ଉପସ୍ଥିତ ହୋଇ ସେବା ଯୋଗାଇଥିଲେ।
ଆଖପାଖ ଅଞ୍ଚଳର ପ୍ରାୟ ୨୦୦ ଜଣ ଲୋକ ଏହି ଶିବିରରେ ଯୋଗଦେଇ ଫିଜିଓଥେରାପି ସେବା ଗ୍ରହଣ କରିଥିଲେ। ସେଥିସହ ରକ୍ତଚାପ ଓ ସୁଗାର ପରୀକ୍ଷା ମଧ୍ୟ କରାଯାଇଥିଲା। ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା।
ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ କରି ବଳଭଦ୍ରପୁର ଯୁବକ ସଙ୍ଘ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସଂଘର ସଦସ୍ୟମାନେ କହିଛନ୍ତି। ଏହି ଅବସରରେ ବଳଭଦ୍ରପୁର ଗ୍ରାମର ଅଧିକାରୀ ନିରାକାର ପ୍ରସାଦ ଜେନା, ମହନ୍ତ ନୀଳକଣ୍ଠ ମହାନ୍ତି, କଟୁଆଳ ବିଷ୍ଣୁ ରାଉଳ, କୋଷାଧକ୍ଷ ଅମରେନ୍ଦ୍ର ରାଉତ, ମୁଖ୍ୟ ଉପଦେଷ୍ଟା ଦେବେନ୍ଦ୍ରନାଥ ସାହୁ ଏବଂ ଯୁବକ ସଙ୍ଘର ସଭାପତି ପ୍ରସନ୍ନ କୁମାର ରାଉତ, ଉପସଭାପତି ନାରାୟଣ ଲେଙ୍କା ଓ ନୀତେଶ କୁମାର ସାହୁ, ସମ୍ପାଦକ ପ୍ରଦୀପ୍ତ କୁମାର ରାଉତ, ସହ-ସମ୍ପାଦକ ରାଧେଶ୍ୟାମ ଜେନା ଓ ଦିବାକର ଲେଙ୍କା ଆଦି ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରିଥିଲେ।
