ବାଲିପାଟଣା: ବନମାଳୀପୁର ସ୍ଥିତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଶୁଭାରମ୍ଭ ହୋଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭା ସୁବର୍ଣ୍ଣ ଜୟନ୍ତୀ କମିଟିର ଚେୟାରମେନ ଭାଗିରଥି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏଥିରେ ମୁଖ୍ୟଅତିଥି ଭାବରେ ସମାଜସେବୀ ରମେଶ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ମଣ୍ଡଳ, ପ୍ରଧାନଶିକ୍ଷକ ତ୍ରିଲୋଚନ ଗଡପଲ୍ଲା, କମିଟି ଉପଦେଷ୍ଟା ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା, ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ପୁର୍ବତନ ପ୍ରଧାନଶିକ୍ଷକ ସୁଜାତା ସାମନ୍ତରାୟ, ପୂର୍ବତନ ଶିକ୍ଷା ଅଧିକାରୀ ବଳରାମ ପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ୫୦ ବର୍ଷ ଅବଧିରେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ପ୍ରତିଷ୍ଠାତାମାନେ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ। ଅପରାହ୍ନ କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ଉଦ୍ୟୋକ୍ତାମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ଲେଙ୍କା ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
