ପୁରୀ/କଣାସ(ଭିଓଭି): ରାସ୍ତାରେ ମାଟି ପକାଇବା ପରେ ଠିକାଦାର ବକେୟା ଟଙ୍କା ନଦେଇ ଅନ୍ୟ ଜଣଙ୍କୁ ମାଟି ପକାଇବା ପାଇଁ ନିୟୋଜିତ କରିବା ଘଟଣାକୁ କେନ୍ଦ୍ରକରି ଠିକାଦାରଙ୍କ କିଛି ବ୍ୟକ୍ତି ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ଓ ହଣାକଟାରେ ଆହତ ହୋଇ ଉଭୟ ପକ୍ଷରୁ ଚାରିଜଣ ବ୍ୟକ୍ତି ଡାକ୍ତରଖାନାରେ ଭର୍ତିହେବା ଘଟଣା କଣାସ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ, ଦେଈପୁରଠାରୁ ବାଜପଦରକୁ ଯାଉଥିବା ରାସ୍ତାର ଖଡିକା ନଦୀ ଉପରେ ଏକ ସେତୁ ନିର୍ମାଣ ହୋଇଥିଲା । ସେତୁର ଉଭୟ ପାଶ୍ୱର୍ରେ ମାଟି ପକାଇବା ପାଇଁ ଠିକାଦାର ମାଆଙ୍କ ଗ୍ରାମର କୈଳାସ ସାହୁଙ୍କୁ ନିୟୋଜିତ କରିଥିଲେ । ତେଣୁ କୈଳାସ ନିଜ ଟ୍ରାକ୍ଟର ସାହାଯ୍ୟରେ ଉକ୍ତ ସ୍ଥାନରେ ମାଟି ପକାଇଥିଲେ । ମାତ୍ର ମାଟି ପକାଇବା ପରେ ଠିକାଦାର କୈଳାସଙ୍କୁ ଚୁକ୍ତି ଅନୁସାରେ ଟଙ୍କ ନଦେଇ ବାକି ରଖିଥିବା ବେଳେ ଅନ୍ୟ ଲୋକଙ୍କୁ ଆଣି ଉକ୍ତ କାମ କରାଇଥିଲେ । ଏହାକୁ ବିରୋଧ କରି ଠିକାଦାରର ଲୋକ ମାନଙ୍କ ସହ କୈଳାସଙ୍କର ଗଣ୍ଡୋଗଳର ସୂତ୍ରପାତ ହୋଇ ବଚସା ରୁ ହଣାକଟା ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ ଉଭୟ ପଟରୁ ଦୁଇଜଣ ଲେଖାଏଁ ଧାରୁଆ ଅସ୍ତ୍ରରେ ହଣାକଟା ହୋଇ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଥିବାର ସୂଚନା ମିଳିଛି । ଘଟଣା ସମ୍ପର୍କରେ କୈଳାସଙ୍କ ପତ୍ନୀ ସସ୍ମିତା ସାହୁ ଠିକାଦାରଙ୍କ ଲୋକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଠିକାଦାରଙ୍କ ପକ୍ଷରୁ କିରଣ କୁମାର ସାମାନ୍ତରାୟ ମଧ୍ୟ କୈଳାସଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ଥାନାଧିକାରୀ ଦୁର୍ଗାଚରଣ ମହାପାତ୍ର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଜଣାପଡିଛି ।
