ରଣପୁର, ୧୧/୦୧ : ଆମ୍ବଝର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ବୃତ୍ତିରୁ ଅବସରଗ୍ରହଣ କରିଥିବା ରାଜକିଶୋର ସେଠିଙ୍କ ହୃଦଘାତ ଯୋଗୁଁ ଗତକାଲି ଆକସ୍ମିକ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିକ୍ଷକ ମହଲ ସହ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ଜଣେ ସରଳ, ନିଷ୍ଠାବାନ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ପରିଚିତ ଶ୍ରୀ ସେଠି ତାଙ୍କ ଦୀର୍ଘ ଶିକ୍ଷକତା ଜୀବନରେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଂସ୍କାରର ଆଲୋକ ଦେଇଥିଲେ। ବିଦ୍ୟାଳୟର ସୁଚାଳନା, ଶିକ୍ଷାର ଗୁଣମାନ ବୃଦ୍ଧି ଓ ଛାତ୍ରମାନଙ୍କ ସର୍ବାଙ୍ଗୀଣ ଉନ୍ନତି ପାଇଁ ତାଙ୍କ ଅବଦାନ ସମସ୍ତଙ୍କ ଦ୍ୱାରା ସ୍ମରଣୀୟ ରହିବ।

ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟ-ସ୍ୱଜନ, ପୂର୍ବତନ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କ ଅକାଳ ବିୟୋଗକୁ ନେଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଯାଇଛି।
