ରାଜସ୍ଥାନ : ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦ । ପତ୍ନୀ ସାଜିଲା ଯମ । ସାତ ଜନ୍ମର ସାଥୀ ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ନିର୍ମମ ମର୍ଡର ପରେ ଏହାକୁ ହିଟ୍-ଆଣ୍ଡ୍-ରନ ମାମଲାର ରୂପ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ତଦନ୍ତରୁ ସତ ସାମ୍ନାକୁ ଆସିଛି ।
ରାଜସ୍ଥାନରେ ୨୭ ବର୍ଷୀୟ ଆଶିଷ କୁମାର ମାତ୍ର ୩ ମାସ ତଳେ ଅଞ୍ଜୁଙ୍କ ସହ ତାଙ୍କର ବିବାହ ହୋଇଥିଲା । କିନ୍ତୁ ଅଞ୍ଜୁ ଏହି ସମ୍ପର୍କରେ ଖୁସି ନଥିଲେ ଏବଂ ନିଜ ପୂର୍ବ ପ୍ରେମିକ ସଞ୍ଜୟଙ୍କ ସହ ରହିବାକୁ ଚାହୁଁଥିଲେ । ସେଥିପାଇଁ ସେମାନେ ଆଶିଷଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ରାତିରେ ଖାଇସାରିବା ପରେ ଅଞ୍ଜୁ ତାଙ୍କ ସ୍ୱାମୀ ଆଶିଷଙ୍କୁ ବୁଲିବାକୁ ଏକ ନିଛାଟିଆ ରାସ୍ତାକୁ ଡାକି ନେଇଥିଲେ ।
ପୂର୍ବରୁ ସେଠାରେ ଲୁଚି ରହିଥିବା ପ୍ରେମିକ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ଆଶିଷଙ୍କୁ ଆକ୍ରମଣ କରିଥିଲେ । ସେମାନେ ଆଶିଷଙ୍କୁ ବାଡ଼ିରେ ପିଟିବା ପରେ ଏକ ମଫଲରରେ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସକୁ ଭ୍ରମିତ କରିବା ପାଇଁ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦିଆଯାଇଥିଲା । ଏହା ‘ହିଟ୍-ଆଣ୍ଡ୍-ରନ୍’ ବା ଗାଡ଼ି ଧକ୍କା ଯୋଗୁ ମୃତ୍ୟୁ ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ ।
ଅଞ୍ଜୁ ନିଜେ ରାସ୍ତାରେ ବେହୋସ ହୋଇ ପଡ଼ି ରହିବାର ନାଟକ କରିଥିଲେ । ସେ କହିଥିଲେ ଯେ, କିଛି ଦୁର୍ବୃତ୍ତ ଆସି ତାଙ୍କ ଗହଣା ଲୁଟିବା ସହ ତାଙ୍କ ସ୍ୱାମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ ଏସଆଇ ଅମୃତା ଦୁହାନଙ୍କ ନେତୃତ୍ୱରେ ତଦନ୍ତରୁ ଜଣାପଡ଼ିଥିଲା ଅଞ୍ଜୁଙ୍କ ବୟାନରେ ତାଳମେଳ ରହୁନାହିଁ । ଗାଡ଼ି ଧକ୍କା ହୋଇଥିଲେ ମଧ୍ୟ ଅଞ୍ଜୁଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିଲା । କଲ ରେକର୍ଡରୁ ସବୁଠାରୁ ବଡ଼ ପ୍ରମାଣ ମିଳିଥିଲା । ଯେଉଁଥିରେ ବିବାହ ପରେ ମଧ୍ୟ ଅଞ୍ଜୁ ଓ ସଞ୍ଜୟ ଲଗାତାର କଥା ହେଉଥିବା ଜଣାପଡ଼ିଥିଲା ।
ପୋଲିସ ଅଞ୍ଜୁ, ପ୍ରେମିକ ସଞ୍ଜୟ ଏବଂ ହତ୍ୟାରେ ସହଯୋଗ କରିଥିବା ରୋହିତ ଓ ବାଦଲଙ୍କୁ ଗିରଫ କରିଛି । ପୂର୍ବରୁ ମେଘାଳୟରେ ଏପରି ଏକ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଥିଲା । ଗତବର୍ଷ ମେରେ ବିବାହ ପରେ ହନିମୁନରେ ଯାଇଥିବା ବେଳେ ସ୍ବାମୀ ରାଜ ରଘୁବଂଶୀଙ୍କୁ ସ୍ତ୍ରୀ ସୋନମ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିଲେ । ରାଜସ୍ଥାନରେ ଏହି ଘଟଣାକୁ ଗତବର୍ଷର ରାଜ ରଘୁବଂଶୀ ଚର୍ଚ୍ଚିତ ମାମଲା ସହ ତୁଳନା କରି ‘ହନିମୁନ୍ ମର୍ଡର ୨.୦’ ନାମ ଦିଆଯାଇଛି ।
