ପୁରୀ (ଭିଓଭି): ପରିବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ପୁରୁଣା ରାସ୍ତାକୁ ଚଉଡା କରିବା ପାଇଁ କେତେ କେତେ ନିର୍ମାଣ କୁ ଉଚ୍ଛେଦ କରାଯାଉଛି । କିନ୍ତୁ ଭବିଷ୍ୟତ କୁ ଅଣଦେଖା କରି ନଳା ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ କରିବା ପରିବର୍ତେ କଂକ୍ରିଟ୍ ରାସ୍ତା ଖୋଳି ନଳା ତିଆରି କରି ରାସ୍ତା ସଂକୁଚିତ କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପୌରପାଳିକା ୩୧ ନମ୍ବର ୱାର୍ଡ ଅନ୍ତର୍ଗତ ବିନୋବା ନଗରରେ ।
ବସ୍ତି ବାସିନ୍ଦା ଙ୍କ ଅଭିଯୋଗ ଅନୁସାରେ ପ୍ଲାନିଙ୍ଗ ନକ୍ସାରେ ବିନୋବା ନଗରରେ ୨୦ ଫୁଟ ଚଉଡାର ରାସ୍ତା ରହିଅଛି । କିନ୍ତୁ ରାସ୍ତା ର ଉଭୟ ପଟୁ ଲୋକ ମାନେ ଜବର ଦଖଲ କରି ଘର, ବାରେଣ୍ଡା, ପାହାଚ, ପାଚେରୀ ଆଦି ନିର୍ମାଣ କରିବା ଦ୍ୱାରା ତାହା ଏବେ ୧୨ ରୁ ୧୪ ଫୁଟ ରେ ଆସି ପହଁଚିଲାଣି । କେଉଁଠି କେଉଁଠି ତାହା ୮ – ୧୦ ଫୁଟ ମଧ୍ୟ ହୋଇ ଗଲାଣି । ଏବେ ବିନୋବା ନଗରରେ ନଳା ନିର୍ମାଣ କାର୍ଯ୍ୟ ଚାଲିଛି । ନଳା କାମ ଆରମ୍ଭ ପୂର୍ବରୁ ପୁରୀ ମ୍ୟୁନିସିପାଲିଟି କର୍ତୃପକ୍ଷ ମାପଚୁପ କରି କେଉଁ କେଉଁ ଜବର ଦଖଲ ଭଙ୍ଗା ଯିବ ସେଗୁଡିକରେ ଚିହ୍ନ ଦେଇଥିଲେଏବଂ ମ୍ୟୁନିସିପାଲିଟି ର ଏନ୍ଫୋର୍ସମେଂଟ ଟିମ୍ ଲୋକ ମାନଙ୍କୁ ଜବର ଦଖଲ ହଟାଇ ଦେବାକୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇଥିଲେ । କିଛି ଲୋକ ନିଜେ ନିଜର ନିର୍ମାଣ ଭାଙ୍ଗି ଦେଇ ନଳା ନିର୍ମାଣ ପାଇଁ ଯାଗା ଦେଇଥିଲେ । ସାହି ମଝି ପର୍ଯ୍ୟନ୍ତ ମଧ୍ୟ କଂକ୍ରିଟ ରାସ୍ତାର ଧାରେ ଧାରେ ନଳା ତିଆରି ହେଲା । କିନ୍ତୁ ସାହି ମଝିରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଉଚ୍ଛେଦ ନକରି ସେହି ସ୍ଥାନ ମାନଙ୍କରେ ପି.ଡବ୍ଲ୍ୟୁ.ଡି. ତିଆରି କରିଥିବା କଂକ୍ରିଟ ରାସ୍ତାକୁ କାଟି ନଳାକୁ ବଙ୍କାଇ ନିର୍ମାଣ କରୁଛନ୍ତି । ଫଳରେ ସେଠାରେ ରାସ୍ତାର ଚଉଡା ମାତ୍ର ୮ ଫୁଟ ହୋଇ ଯାଇଛି । ଯାହା କି, ଭବିଷ୍ୟତରେ ଗୁରୁତର ରାସ୍ତା ସମସ୍ୟା ସୃଷ୍ଟି କରିବ ବୋଲି ବୁଦ୍ଧିଜିବୀ ମାନେ ଅଭିଯୋଗ କରିଛନ୍ତି । ସାହି ବାସିନ୍ଦାଙ୍କ ତରଫରୁ ପୁରୀ ମ୍ୟୁନିସିପାଲିଟି କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଜବର ଦଖଲ ହଟାଯାଇ ନଳା ତିଆରି ହେବ ବୋଲି ପ୍ରତିଶୃତି ଦେଇ କର୍ତୃପକ୍ଷ ନୀରବ ରହୁଛନ୍ତି । ତେଣୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଯାଉଥିବାରୁ ତା ପୂର୍ବରୁ ଯେନତେନ ପ୍ରକାରେଣ ନଳା କାମ ସାରି ତରବରିଆ ଭାବେ ବିଲ୍ କରାଇ ନେବାକୁ ପ୍ରୟାସ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜବରଦଖଲ କାରୀ, ଠିକାଦାର ଏବଂ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜନ ସାଧାରଣଙ୍କ ସ୍ୱାର୍ଥ ବଳି ପଡୁଛି ବୋଲି ମଧ୍ୟ ଚର୍ଚ୍ଚା ଯୋର ଧରିଛି ।
