କଟକ: କଟକ ତୁଳସୀପୁର ମଠସାହି ସ୍ଥିତ ଶ୍ରୀ ଜଗନ୍ନାଥ ବ୍ୟାୟାମଶାଳା ଓ କ୍ଲବ୍’ରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କିଶୋର ସ୍ୱାଇଁ, ଆଇନଜୀବୀ ତଥା ସ୍ତମ୍ଭକାର ଶ୍ରୀ କୈଳାଶ ଚନ୍ଦ୍ର ଶତପଥୀ, ପଞ୍ଚାୟତ କମିଟିର କାର୍ଯ୍ୟନିର୍ବାହୀ ସଭାପତି ପ୍ରଫୁଲ୍ଲ ବେହେରା, ସାହିର ବୟୋଜ୍ୟେଷ୍ଠ ମୁରବୀ କାହ୍ନୁ ଚରଣ ବେହେରା, ବିଜୟ କୁମାର ସାହୁ, କ୍ଲବ୍’ର ପୂର୍ବତନ ସଭାପତି ବିଜୟ କୁମାର ସାହୁ, ସଭାପତି ରଂଜିତ ବେହେରା, ସମ୍ପାଦକ ଭରତ କୁମାର ସାହୁ, ଆଇନଜୀବୀ ଜଗନ୍ନାଥ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।
ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ ଓ ଭାରତମାତାର ବନ୍ଦନା କରାଯାଇଥିଲା। ପଞ୍ଚାୟତ କମିଟିର ସମ୍ପାଦକ ଆଇନଜୀବୀ ଅଶୋକ କୁମାର ଦଳାଇଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ପିଲାମାନେ ଭାଗ ନେଇଥିଲେ। ସେମାନେ ନିଜେ ଡ୍ରମ ବଜାଇ, ପ୍ରଭାତଫେରି କରିବା ସହିତ ଓଡିଆ, ଇଂରାଜି ଓ ହିନ୍ଦୀରେ ସ୍ଵାଧୀନତା ଦିବସ ବିଷୟରେ ସୁନ୍ଦର ବକ୍ତବ୍ୟ ରଖିଥିଲେ। ଶେଷରେ ପିଲାମାନଙ୍କୁ ଚକୋଲେଟ୍ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
