ଭୁବନେଶ୍ୱର: ଆମେ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଔଷଧୀୟ ବୃକ୍ଷର ଉପକାରିତା ତଥା ଚେରମୂଳି ଗଛର ପତ୍ର ନାନାଦି ଅସାଧ୍ୟ ରୋଗରୁ ଆରୋଗ୍ୟତା ମିଳିଥାଏ। ବର୍ତ୍ତମାନ ଯୁଗରେ ବହୁ ବ୍ୟକ୍ତି ଏହି ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ବିଶ୍ୱାସ ରଖିଛନ୍ତି। ହେଲେ ଅନେକ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଦେଖିନାହାନ୍ତି କି ଜାଣିନାହାନ୍ତି, କେଉଁ ଗଛ କେଉଁ କାମରେ ଆସିଥାଏ ତାହା ମଧ୍ୟ କିଛି ଲୋକଙ୍କୁ ଅଜଣା ରହିଛି। ବିଶେଷ କରି ଆଜିର ଯୁବପିଢ଼ିମାନେ ମଧ୍ୟ ଏହି ସବୁ ଗଛ ବିଷୟରେ ଅଜ୍ଞ ରହିଛନ୍ତି। ରାଜଧାନୀର ଗୋପବନ୍ଧୁ ଛକରେ ରହିଥିବା ରାଜଭବନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଗରେ ଲଗାଯାଇଛି ୩୫ରୁ ୪୦ ପ୍ରକାର ଔଷଧୀୟ ବୃକ୍ଷ। ଏହି ଔଷଧୀୟ ବୃକ୍ଷ ମଧ୍ୟରେ ରହିଛି ପାତାଳ ଗରୁଡ଼, ପେଡ଼ିପେଡ଼ିକା, ଡାଳିମ୍ବ, ଭୃସଙ୍ଗ, ଧଳା ଅରଖ, ମଞ୍ଜୁଆତି, ବାସଙ୍ଗ, ହାଡ଼ଭଙ୍ଗା, ଆୟାପଳ, ବଚ, ଜୁଆଣୀ, ରାମ ତୁଳସୀ, ଭୃଙ୍ଗରାଜ, ଇନ୍ସୁଲିନ୍, ପଥରଜଟା, ବିରିବିରି ଆଦି ଅନେକ ଗଛ ଲଗାଯାଇଛି। ଏଥିସହିତ ୟୁନିଟ୍-୮ରେ ରହିଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଆଗରେ ମଧ୍ୟ ଔଷଧୀୟ ଉଦ୍ୟାନ ସହିତ ଗଣିତ ଉଦ୍ୟାନ ମଧ୍ୟ କରାଯାଇଛି, ଯାହା ମୁଖ୍ୟତଃ ଛୁଆମାନଙ୍କୁ ଏହି ଔଷଧୀୟ ଗଛକୁ ଜାଣିବା ସହିତ ଚିହ୍ନିବାରେ ସହାୟକ ହେଉଛି। ଏହି ଔଷଧୀୟ ଉଦ୍ୟାନ କରିବାରେ ୟୁନିଟ୍-୮ର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଶିଶିର କୁମାର ରାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ସେ କୁହନ୍ତି, ଆଗରୁ ୟୁନିଟ୍-୮ରେ ଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାକିରି କରିଥିବାବେଳେ ଏହି ସବୁ ଗଛ ଲଗାଇଥିଲେ। ଏହି ଉଦ୍ୟାନ କରିବା ପରେ ରାସ୍ତାରେ ଯାଉଥିବା ଲୋକମାନେ ଅଟକିଯାଇ ଏହି ଉଦ୍ୟାନକୁ ଦେଖୁଛନ୍ତି। ଲୋକମାନେ ବିଭିନ୍ନ ପ୍ରକାର ଗଛକୁ ଜାଣିପାରୁ ନ ଥିବାବେଳେ ଏହାର ଉପକାରିତା ଉପରେ ମଧ୍ୟ ବୁଝୁଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଏହି ଉଦ୍ୟାନ ସହରର ସମସ୍ତ ୱାର୍ଡରେ ଲଗାଇବା ପାଇଁ ଯଦି ସମସ୍ତ ୱାର୍ଡର କର୍ପୋରେଟରମାନେ ଟିକେ ସହଯୋଗ କରନ୍ତେ, ଏହି ଗଛ ଲାଗିପାରନ୍ତା ଏବଂ ଲୋକମାନେ ଔଷଧୀୟ ଗଛ ବିଷୟରେ ଜାଣିବା ସହିତ କାର୍ଯ୍ୟକାରିତା ଉପରେ ମଧ୍ୟ ଜାଣିପାରନ୍ତେ। ଗୋପବନ୍ଧୁ ଛକରେ ଥିବା ଏହି ଉଦ୍ୟାନକୁ ସବୁଦିନେ ସକାଳେ ଓ ସନ୍ଧ୍ୟାରେ ପାଣି ଦିଆଯାଏ।
