ରାହୁଲ ଡ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍ । ଟେଷ୍ଟରେ ସର୍ବାଧିକ କ୍ୟାଚ୍ ଧରିବାରେ କଲେ ରେକର୍ଡ । ଲର୍ଡସ ଟେଷ୍ଟରେ ଭାରତ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ରୁଟ ଏହି ରେକର୍ଡ କରିଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠାରୁ ସୁରକ୍ଷିତ ହାତ ଜୋ ରୁଟଙ୍କ ହାତ । ଅଣ ୱିକେଟ କିପର ଭାବେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ କ୍ୟାଚ୍ ଧରିବାରେ ନୂଆ ରେକର୍ଡ କରିଛନ୍ତି । ରାହୁଲ ଦ୍ରାବିଡଙ୍କ ୨୧୦ କ୍ୟାଚ୍ ରେକର୍ଡକୁ ଭାଙ୍ଗିଛନ୍ତି ଜୋ ରୁଟ୍ । ଜୋ ରୁଟ ୨୧୧ କ୍ୟାଚ୍ ଧରିଛନ୍ତି ।

ଲର୍ଡସରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ କରୁଣ ନାୟରଙ୍କ କ୍ୟାଚ୍ ଧରି ନୂଆ ରେକର୍ଡ କରିଛନ୍ତି । ସେ ମୋଟ ୨୧୧ଟି କ୍ୟାଚ୍ ନେଇଛନ୍ତି । ସବୁଠାରୁ ଅଧିକ କ୍ୟାଚ ଧରିବାର ରେକର୍ଡ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ରୁଟ୍ । ଦ୍ରାବିଡ୍ ୨୧୦, ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୨୦୫, ଦ. ଆଫ୍ରିକାର ଜାକ କାଲିସ ୨୦୦ , ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ୨୦୦ ଏବଂ ରିକି ପଣ୍ଟିଂ ୧୯୬ କ୍ୟାଚ୍ ଧରିଛନ୍ତି ।
ଲର୍ଡସ ଟେଷ୍ଟରେ ପ୍ରଥମ ଇନିଂସରେ ୩୮୭ରେ ଅଲ ଆଉଟ ହେଲା ଇଂଲଣ୍ଡ । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୩ ୱିକେଟ୍ ହରାଇ ୧୪୫ ରନ କରିଛି । କେଏଲ ରାହୁଲ ୫୩ ରନ ଏବଂ ରିଷଭ ପନ୍ତ ୧୯ ରନ କରି ଅପରାଜିତ ଫେରିଛନ୍ତି । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୬୧ ବଲ୍ ରେ ୩୮ ରନର ପାର୍ଟନରସିପ୍ କରିଛନ୍ତି । ଓପନର ଯଶସ୍ୱୀ ଜୟସ୍ୱାଲ ୧୩ ରନ, କରୁଣ ନାୟର ୪୦ ରନ ଏବଂ ଅଧିନାୟକ ଶୁଭମନ ଗିଲ୍ ୧୬ ରନ କରି ଆଉଟ ହୋଇଛନ୍ତି । ୪ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଏବଂ କ୍ରିସ୍ ୱକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
