ଭୁବନେଶ୍ବର (ଭିଓଭି): ରାଜ୍ୟର ଏକ ପ୍ରମୁଖ ତଥା ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ତଥା ଦ୍ବିତୀୟ କୈଳାସ ଭାବେ ପରିଚିତ ନୈସର୍ଗିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ୮୦୦ ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟମାନ । ୧୨୪୬ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀୟ ରାଜବଂଶର ରାଜା ନରସିଂହଦେବ ପ୍ରଥମଙ୍କ ଦ୍ଵାରା ନିର୍ମିତ ଏହି ଐତିହ୍ୟ ପୂର୍ଣ୍ଣ ଶୈବପୀଠ ଆଜି ସମ୍ପୂର୍ଣ୍ଣ ଅବହେଳିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ଏଠି ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ତଥା ପର୍ଯ୍ୟଟକଙ୍କ ଭିଡ଼ ସହିତ ଶିବରାତ୍ରୀ, ଶ୍ରାବଣ ମାସରେ ପାଣି ଭାର ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କପିଳାସ ପୀଠକୁ ବିଶ୍ଵସ୍ତରୀୟ କରିବା ଲାଗି ରାଜ୍ୟ ସରକାର ଆଗେଇ ଆସନ୍ତୁ ବୋଲି ଢେଙ୍କାନାଳର ଅଗ୍ରଣୀ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ୟୁଥ୍ କ୍ଳବ୍ ର ସଦସ୍ୟ ମାନେ ଢେଙ୍କାନାଳ ସଦର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଙ୍କୁ ଭେଟି ସକରାତ୍ମକ ଆଲୋଚନା କରିବା ସହିତ ପୀଠକୁ ବିଶ୍ଵସ୍ତରୀୟ କରିବା ପାଇଁ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍ ତରଫରୁ ୪୦ ଗୋଟି ପ୍ରସ୍ତାବ ଦେଇଛନ୍ତି। ଖୁବ୍ ଶୀଘ୍ର କପିଳାସ ପୀଠର ଉନ୍ନତି ପାଇଁ ଏକ କମିଟି ଗଠନ କରିବା ସହିତ ସବୁ ଅଧିକାରୀ ମାନଙ୍କୁ ନେଇ ଆଲୋଚନା କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୨୬ କିମି ଦୂରରେ ଥିବା ଶୈବପୀଠ ର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଦାବି କରାଯାଇଛି।
