• About Us
  • Contact Us
Saturday, February 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କୋଣାର୍କ ଉତ୍ସବ ଉଦଯାପିତ

by Voice of Victims
December 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କୋଣାର୍କ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଆଜି କୋଣାର୍କ ଉତ୍ସବର ପଞ୍ଚମ ତଥା ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଆଜି ପୃଥିବୀର ଶ୍ରେଷ୍ଠ କଳାକିର୍ତ୍ତୀ ଭାବରେ ବିଶ୍ଵ ବନ୍ଦିତ। “ବ୍ଲାକ ପାଗୋଡ଼ା”, “ସୂର୍ଯ୍ୟ ମନ୍ଦିର”, “ଅର୍କ କ୍ଷେତ୍ର” ସବୁର ମୂଳରେ କିନ୍ତୁ ପ୍ରତିଭାତ ହେଉଛି ଓଡିଶାର କଳା ସ୍ଥାପତ୍ୟର ଅପୂର୍ବ ଗାରିମା। ସିବେଇ ସାନ୍ତରାର ଶିଳ୍ପୀ କୂଳଙ୍କ କଳା ଚାତୁର୍ଯ୍ୟ, ଧରମାର ତ୍ୟାଗ, ପ୍ରସ୍ତର ଶିଳ୍ପର ଅପୂର୍ବ କାରୁକାର୍ଯ୍ୟ, ସର୍ବୋପରି ଗଙ୍ଗ ବଂଶର ରାଜା ନରସିଂହ ଦେବଙ୍କର କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପ୍ରକଟିତ ହୋଇଛି କୋଣାର୍କର ପ୍ରତିଟି ଶିଳା ଲିପିରେ। ସେଇଥିପାଇଁ କୋଣାର୍କ ଆଜି ସାଜିଛି ବିଶ୍ଵ ଭାତୃତ୍ବ ର ମହାମନ୍ତ୍ର। ସବୁ ଜାତି ଧର୍ମ ବର୍ଣ୍ଣର ମହାର୍ଘ ଇତିହାସ। କୋଣାର୍କ ଚକ୍ର ହେଉ ବା କୋଣାର୍କର ଯୋଦ୍ଧା ଘୋଡା ହେଉ ବା କୋଣାର୍କର ଯୁଦ୍ଧ ପଟୁଆର ର ହାତୀ ହେଉ କି ପୁରୁଷ-ନାରୀର ମିଥୁନ ମୂର୍ତ୍ତୀ ହେଉ ସବୁଠି, ସବୁ ରୂପରେ,ସବୁ ରସରେ, ସବୁ ଛନ୍ଦରେ, ସେ ଚର୍ଚିତ,ବନ୍ଦିତ। ଓଡ଼ିଆ ପୁଅର ବୀରତ୍ୱ, ସାର୍ବଭୌମତ୍ୱ, ସୌନ୍ଦର୍ଯ୍ୟପ୍ରୀତି, କଳା ଆଉ ସଂସ୍କୃତି ମନସ୍କତା, ଜାତି ପ୍ରୀତି, ଭାଷାପ୍ରୀତି ସବୁଠି ତାର “ଅସ୍ମିତା” ର ପ୍ରତିଷ୍ଠା ହୋଇଛି। କୋଣାର୍କକୁ ନେଇ ଭାରତ ବର୍ଷର ବହୁ ସାହିତ୍ୟିକ,କବି ସେମାନଙ୍କ ଲେଖନୀ ଚାଳନା କରିଛନ୍ତି ବିଭିନ୍ନ ଭାଷାରେ ଓ ସାହିତ୍ୟରେ। ଆଉ ସେ ସବୁ ସାହିତ୍ୟି ତ ବିଶ୍ଵ ଦରବାରରେ ପୁରସ୍କୃତ ହୋଇଛି, ସାହିତ୍ୟିକଙ୍କର ସମ୍ମାନ ପ୍ରତିଷ୍ଟିତ ହୋଇଛି ବିଶ୍ଵରେ। ଗତ ଦୁଇ ଦିନ ତଳେ ବିଶିଷ୍ଟ କଥା ଶିଳ୍ପୀ ତଥା ଶିଳାପଦ୍ମର ଉପନ୍ୟାସିକ ଡଃ. ପ୍ରତିଭା ରାୟଙ୍କର “କୋଣାର୍କ ସଙ୍ଗୀତ” କବିତା ପୁସ୍ତକ ଉନ୍ମୋଚିତ ହେବା ସହିତ ତାର ସଙ୍ଗୀତୟାନ୍ ମଧ୍ୟ ହୋଇଛି। ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟଙ୍କ “ଭଙ୍ଗା ମନ୍ଦିର”, “କୋଣାର୍କ” ଗୋପବନ୍ଧୁ ଦାସଙ୍କର “ଧର୍ମପଦ”, ମାୟାଧର ମାନସିଂହଙ୍କର “କୋଣାର୍କ”, “ପ୍ରେମିକ କବି”, “କୋଣାର୍କର ଲାସ୍ୟଲୀଳା “, “ମୂର୍ମୁଷୁ କୋଣାର୍କ”, ମନୋଜ୍ ଦାସଙ୍କ “କବିତା ଉତ୍କଳ” , “ଧର୍ମପଦ : ନିର୍ଭୁଲ ଠିକଣା”, ବୃନ୍ତହୀନ ଫୁଲ ସ୍ଥପତି: ସିବେଇ ସା’ନ୍ତରା”, “କୋଣାର୍କ ସନ୍ଧ୍ୟାରେ,” “କଳା ପାହାଡର ତୃଷ୍ଣା”, “ରାମଚଣ୍ଡୀ”, ପ୍ରତିଭା ରାୟଙ୍କର “ଶିଳାପଦ୍ମ” ଏହା ବ୍ୟତୀତ ବହୁ ତରୁଣ କବିଙ୍କ କବିତାରେ କୋଣାର୍କ ପ୍ରେମ ଓ ପ୍ରଣୟର, ବିରହ ଓ ବିଚ୍ଛେଦର ଭିନ୍ନ ଏକ ରୂପରେ ମନ୍ତ୍ରୀତ୍ୱ ହୋଇଛି। ଆଜି ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ କଲିକତାରୁ ଆସିଥିବା ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଡ଼ୋନା ଗାଙ୍ଗୁଲୀ ଓ ତାଙ୍କ “ଦୀକ୍ଷା ମଞ୍ଜରି” ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ। ନୃତ୍ୟ ଗୁରୁ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ କେଳୁଚରଣ ମହାପାତ୍ରଙ୍କର ଶିଷ୍ୟା ଶ୍ରୀମତୀ ଗାଙ୍ଗୁଲୀ ଦୀର୍ଘ ପଚିଶ ବର୍ଷ ଧରି ଶିକ୍ଷାଲାଭ କରିବା ପରେ ନିଜର ପ୍ରତିଷ୍ଠାନ ଦୀକ୍ଷା ମଞ୍ଜରିକୁ ରୂପ ଦେଇଥିଲେ ପ୍ରଖ୍ୟାତ ଗାୟୀକା ଲତା ମଙ୍ଗେସକରଙ୍କର କର କମଳରେ। ବହୁ ସମ୍ମାନର ଅଧିକାରୀ ଡ଼ୋନା ତାଙ୍କ ଓଡ଼ିଶୀ ନୃତ୍ୟ ଶୈଳୀକୁ “ସୂର୍ଯ୍ୟବନ୍ଦନା”, ମଙ୍ଗଳା ଚରଣ – ଶାନ୍ତାକାରମ, ପଲ୍ଲବୀ- ସବେରି ଏବଂ ଦୁର୍ଗା ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟର ରୂପ, ରସ, ଛନ୍ଦ, ରାଗ ନୃତ୍ୟାଙ୍ଗନାମାନଙ୍କ ଅଙ୍ଗାରାଗ ଓ ରୂପ ଲାବଣ୍ୟରେ ଅତ୍ୟନ୍ତ ମନମୁଗ୍ଧକର ଭାବରେ ଫୁଟି ଉଠିଥିଲା। ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଓ ଡ଼ୋନା ଗାଙ୍ଗୁଲୀ ଥିବା ବେଳେ ସଙ୍ଗୀତରେ ସହଯୋଗ କରିଥିଲେ ପଣ୍ଡିତ ଭୁବନେଶ୍ଵର ମିଶ୍ର ଓ ଗୁରୁ ଦେବାଶିଷ ସର୍କାର। ଦ୍ୱିତୀୟରେ ତଥା କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ସୁଦୂର ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡାନ୍ସ କଲେକ୍ଟଟିଭ୍ ଅନୁଷ୍ଠାନର ଶିଳ୍ପୀ ବୃନ୍ଦଙ୍କ ଦ୍ଵାରା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ପଦ୍ମଶ୍ରୀ ଗୀତା ଚନ୍ଦ୍ରନଙ୍କର ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କର ଦେହ ମନ ପ୍ରାଣକୁ ଛୁଇଁ ଯାଇଥିଲା। ଦୀର୍ଘ ପଚାଶ ବର୍ଷର ଅଭିଜ୍ଞତା ତାଙ୍କୁ ଏବଂ ତାଙ୍କ ପ୍ରତିଷ୍ଠାନର ଭାରତନାଟ୍ୟମ୍ ନୃତ୍ୟ ଶୈଳୀ ପ୍ରତି ଗଭୀର ଅନୁରାଗ ପ୍ରମାଣ କରୁଥିଲା ମଲ୍ଲାରି, ସକ୍ଷୀ- ସ୍ୱରମ ଓ “ରାସ” ମଧ୍ୟରେ “ପ୍ରଭାହତୀ” ନୃତ୍ୟ ଶୈଳୀ ଓ ନୃତ୍ୟ ସଂରଚନା ଭାରତନାଟ୍ୟମ୍ ନୃତ୍ୟରେ ଜୀବନ୍ୟାସ ଦେଉଥିଲା ଆଉ ଦର୍ଶକ ମାନଙ୍କୁ ଅଭିଭୂତ କରାଇଥିଲା। ଅନ୍ତିମ ଦିନରେ ଆନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ବସ୍ତୁ ଥିଲା ମାଣବସା ଗୁରୁବାର, ମହିଳାମାନଙ୍କ ପାଇଁ ଥିଲା ବୈଷୟିକ ଉତ୍ତାପ ଏବଂରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ମନ୍ଦିର ମାଲିନୀ ଓଡିଶା। ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ କୂଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା। ବାଲି ଘର ଭାଙ୍ଗି ଯିବାର ମରମି ଦୁଃଖରେ ସେମାନେ ଓ ସେମାନଙ୍କ ଅଗଣିତ ପ୍ରଶଂସକଙ୍କ ମନ ଉଣା ହୋଇଯାଇଥିଲା କଳାର ପୂଜାରୀମାନଙ୍କ ଦରଦୀ ହୃଦୟକୁ ଭେଟି। ପୁଣି ପାଇଁ ଗୋଟିଏ ବର୍ଷର ଅପେକ୍ଷା ଓ ପ୍ରତୀକ୍ଷା ରଖୁଥିଲା ଚନ୍ଦ୍ରଭାଗର ବାଲୁକା ବେଳାଭୂମି ଓ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ।କୋଣାର୍କ ଉତ୍ସବର ଆଜି ଉଦ୍ଯଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ଓଡିଶାର ପ୍ରମୁଖ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ରାହୁଲ କରନ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପି ମଲ୍ଲ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ପର୍ଯ୍ୟଟନ ବିଭାଗର ଅଧିକାରୀଗଣ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀଗଣ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ଅଧିକାରୀଗଣ ଉତ୍ସବଟିକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଉତ୍ସବଟିକୁ ସଂଯୋଜନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର।

Post Views: 79
Share204Tweet128Send
Voice of Victims

Voice of Victims

Recent Posts

  • ନାବାଳିକା ଗର୍ଭବତୀ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଗର୍ଭାବସ୍ଥାର ୩୦ ସପ୍ତାହରେ ବି ଗର୍ଭପାତ କରିପାରିବେ
  • ୨୫% ରୁଷିଆ ତେଲ ପେନାଲଟି ଶେଷ, ଆଜି ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି ନୂଆ ନିୟମ
  • ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ବଡ଼ ଆକ୍ରମଣ, ୨୪ ମୃତ
  • ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In