ମହା ଧୁମଧାମରେ ଓ ଆଡମ୍ବର ସହକାରେ ଆମେ ସମସ୍ତେ ଏକ ମହାର୍ଘ ଶିଶୁ ପୁତ୍ରର ଜନ୍ମ ଦିବସ ପାଳନ କରିବା ଅବସରରେ ସେହି ବାଳକର ବହୁ ମୂଲ୍ୟବାନ ଜୀବନ ରକ୍ଷା ନିମନ୍ତେ ଏକ କନ୍ୟା ଅନ୍ୟତ୍ର ଜନ୍ମଗ୍ରହଣ କରି ସନ୍ତାନ ଅଦଳବଦଳ ପ୍ରଥାରେ ନିଜକୁ ଉତ୍ସର୍ଗୀକୃତ କରିଥିଲା। ଏ କଥାଟିକୁ ଆମେ ପ୍ରାୟତଃ ଅଣଦେଖା କରି ପକାଉଛନ୍ତି। ସେହି କନ୍ୟା ରତ୍ନ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସ୍ଵୟଂ ଯୋଗମାୟା ଏବଂ ସେହି ବାଳକ ହେଉଛନ୍ତି ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ। ତେଣୁ ଏହି ଦିବସକୁ ଉଭୟଙ୍କର ଜନ୍ମଦିବସ ରୂପେ ଅବଶ୍ୟ ପାଳନୀୟ। କୁହାଯାଏ ଯୋଗମାୟା, କଂସର ଦୃଢମୁଷ୍ଠିରୁ ମୁକୁଳିଯାଇ କଂସର ନିଧନକାରୀ ଯହିଁ ତହିଁ ଜନ୍ମ ନେଇସାରିଥିବା କଥା କଂସକୁ ଶୁଣାଇ ଅନ୍ତରୀକ୍ଷ କୁ ପ୍ରସ୍ଥାନ କରିଥିଲେ। ଶ୍ରୀକୃଷ୍ଣଙ୍କ ଅନ୍ୟ ଅଗ୍ରଜ ମାନଙ୍କ ଭଳି ତାଙ୍କର ନିଧନ ବିଷୟରେ ଶାସ୍ତ୍ର ନିରବ। ଯାହାହେଉ ଏ ସମ୍ପର୍କରେ ଅଧିକ ଜ୍ଞାନର ଆଲୋକପାତ ପାଇଁ ଅନୁରୋଧ ରହିଲା।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବର୍ଷଣ ମୁଖର ମେଘାନ୍ଧକାର ନିଶାର୍ଦ୍ଧରେ ପ୍ରହରୀ ପରିବେଷ୍ଟିତ ଏକ ରୁଦ୍ଧ କାରାଗାରରେ। ମାତ୍ର ତାଙ୍କ ଜନ୍ମ କ୍ଷଣରେ ସମସ୍ତ ପ୍ରହରୀ ଗାଢ଼ ନିଦ୍ରାଭିଭୂତ ଏବଂ ହସ୍ତପଦ ଶୃଙ୍ଖଳିତ ପିତାମାତା ସାଙ୍କୋଳା ମୁକ୍ତ ତଥା କାରାଗାରର ବନ୍ଦ ଦ୍ୱାର ଗୁଡିକ ଆପେ ଆପେ ଖୋଲିଯିବା ଭଳି ଘଟଣା ଘଟି ଯାଇଥିଲା। ଅନ୍ୟ ଭାଷାରେ କହିବାକୁ ଗଲେ ଆମ ହୃଦୟରେ କୃଷ୍ଣ ଚେତନା ଜାଗ୍ରତ ହେବା କ୍ଷଣି ଅନ୍ଧକାର ସଦୃଶ ନକାରାତ୍ମକ ଭାବନା ନିଷ୍ପ୍ରଭ ହେବା କିଛି ବିଚିତ୍ର ନୁହେଁ। ତତ୍ ସହିତ ଏକ ମୁକ୍ତାତ୍ମା ହେବାରେ ବାଧା ସୃଷ୍ଟିକାରୀ ବନ୍ଧନର କାରକ ଯଥା – ଅହଂକାର, ମୁଁ କାର, ମୋର ଏବଂ ନିଜର ଭାବ ଆପେ ଆପେ ଧୂଳିସାତ ହୋଇଯିବେ । ଆମ ଭିତରେ ଥିବା ଜାତି, ଧର୍ମ, ବର୍ଣ୍ଣ, ବୃତ୍ତି, ସମ୍ପର୍କ ଇତ୍ୟାଦିର ପ୍ରାଚୀର ଭାଙ୍ଗି ଚୁରମାର ହୋଇଯିବ ନିଶ୍ଚୟ। ଏହାହିଁ ଜନ୍ମାଷ୍ଟମୀ ପାଳନର ଅନୁଚିନ୍ତା।
ଆମ ଯୋଗମାୟା ଙ୍କୁ ପ୍ରାର୍ଥନା କରିବା
ତ୍ଵମ୍ ବୈଷ୍ଣବୀ ଶକ୍ତି ଅନନ୍ତ ବୀର୍ଯ୍ୟା
ବିଶ୍ଵସ୍ୟ ବୀଜ ପରମେଶି ମାୟା
ସମ୍ମୋହିତ ଦେବୀ ସମସ୍ତମେତତ୍
ତ୍ଵବୈ ପ୍ରସନ୍ନା ଭୁବି ମୁକ୍ତି ହେତୁ।
ଜୟ ଶ୍ରୀକୃଷ୍ଣ। 🙏
କୈଳାସ ଚନ୍ଦ୍ର ଶତପଥୀ
ଆଇନଜୀବୀ, ଓଡିଶା ହାଇକୋର୍ଟ, କଟକ-୨
ମୋ:-୯୯୩୭୦୧୦୫୭୧