ଉତ୍କଳୀୟ ପୂଜା ପରମ୍ପରା ସହ କୁମ୍ଭକାରମାନଙ୍କ ଅବଦାନ ଅଙ୍ଗାଙ୍ଗୀ ଭାବେ ଜଡିତ । ମାଟି ମୂର୍ତ୍ତିଠାରୁ ଆରମ୍ଭ କରି ମାଟି ଦୀପ, ଘଟ, ସରା, ପଲମ, ହାଣ୍ଡି, କୁଢ଼ୁଆ, ଧୂପଦାନୀ ଆଦି ଠାକୁର ପୂଜାରେ ବ୍ୟବହୃତ ପ୍ରାୟ ସମସ୍ତ ସାମଗ୍ରୀ କୁମ୍ଭକାରମାନେ ହିଁ ଯୋଗାଇ ଥାନ୍ତି । କୁମ୍ଭକାରର ଅନ୍ୟନାମ ହେଉଛି କୁରାଳ । ମାର୍ଗଶୀର ଶୁକ୍ଳପଂଚମୀ ତିଥି କୁ “କୁରାଳ ପଞ୍ଚମୀ” ବୋଲି କୁହାଯାଏ । କାରଣ ଏହିଦିନ ଭଗବାନ ନାରାୟଣ ସୃଷ୍ଟି ପାଳନ ଉଦେଶ୍ୟରେ ନିଜେ କୁମ୍ଭକାର ସାଜି ରୁଦ୍ରପାଳ ରୂପରେ ପ୍ରଥମେ ମାଟି ପାତ୍ର ତିଆରି କରିଥିଲେ ବୋଲି ଲୋକ କଥା ପ୍ରଚଳିତ ଅଛି । ତେଣୁ ବର୍ଷ ମଧ୍ୟରେ ଏହି ଦିନଟି କୁମ୍ଭକାର ସଂପ୍ରଦାୟର ସବୁଠାରୁ ଶ୍ରେଷ୍ଠ ଦିନ ଭାବେ ବିବେଚନା କରାଯାଏ ଏବଂ କୁମ୍ଭକାର ସଂପ୍ରଦାୟରେ କୁରାଳ ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ ଏକ ୫ ଦିନିଆ ପର୍ବ ଭାବେ ଘରେ ଘରେ ପାଳନ କରାଯାଏ ।
ଭଗବାନ ନାରାୟଣଙ୍କ ହସ୍ତରେ ଶୋଭା ପାଉଥିବା ଶଂଖ, ଚକ୍ର, ଗଦା ଏବଂ ପଦ୍ମ ସହିତ କୁମ୍ଭକାରମାନଙ୍କ ବ୍ୟବହୃତ ହାତ ହତିଆର ବା ସରଞ୍ଜାମ ମଧ୍ୟରେ ସମାନ୍ତରାଳ ଭାବରେ ସାମଞସ୍ୟ ରହିଛି । ‘କୁମ୍ଭାର ଚକ୍ର’ ହେଉଛି କୁମ୍ଭକାର କାର୍ଯ୍ୟର ମୁଖ୍ୟ ସରଞ୍ଜାମ ଯାହାକୁ କି, ଭଗବାନ ନାରାୟଣଙ୍କ ଶୁଦର୍ଶନ ଚକ୍ର ସହିତ ତୁଳନା କରାଯାଇଥାଏ । ‘ପିଟଣା’କୁ ଗଦା ସହିତ, ‘ପିଣ୍ଡ’କୁ ପଦ୍ମ ସହିତ ତୁଳନା କରାଯାଏ । ସମସ୍ତ ସରଞ୍ଜାମରୁ ଅଧିକ ମାଟିକୁ ଆମ୍ପୁଡି କାଢ଼ିବା ପାଇଁ ଶଂଖ ବା ଗେଣ୍ଡାରେ ସ୍ୱତନ୍ତ୍ର ଭାବରେ ଏକ ରନ୍ଧ୍ର କରାଯାଇ ବ୍ୟବହାର କରାଯାଏ । ଯାହାକୁ କି, ନାରାୟଣଙ୍କ ଶଂଖ ସହିତ ତୁଳନା କରାଯାଏ ଏବଂ ମାଟି ପାତ୍ରକୁ ଆବଶ୍ୟକ ରୂପ ଦେଇ ତିଆରି ସାରିବା ପରେ ଚକ୍ର ଉପରୁ କାଟି ବାହାର କରିବା ପାଇଁ ବ୍ୟବହୃତ ସୂତାକୁ ଭଗବାନ ନାରାୟଣଙ୍କ ପଇତା ସହ କଲ୍ପନା କରାଯାଇଥାଏ । ତେଣୁ ଭଗବାନ ନାରାୟଣଙ୍କ ଆୟୁଧ ଗୁଡ଼ିକର ନିଜର କୌଳିକ ବୃତ୍ତି ସହିତ ରହିଥିବା ସାମଞ୍ଜସ୍ୟକୁ କଳ୍ପନା କରି ଏହି ପୂଜା ପର୍ବଟି ଭଗବାନ ନାରାୟଣ ଏବଂ ମାତାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି ଲୋକାଚାର ଏବଂ ପୌରାଣିକମାନଙ୍କ ମତ । ସ୍ଥଳ ବିଶେଷରେ କେହି କେହି ଲୋକାଚାର ମତରେ ରୁଦ୍ରପାଳ ଏବଂ ରତ୍ନେଶ୍ୱରୀଙ୍କ ପୂଜା ବୋଲି ମଧ୍ୟ ବିବେଚନା କରିଥାନ୍ତି ।
ଉତ୍କଳର କୁମ୍ଭକାର ସଂପ୍ରଦାୟ, ବିଶେଷ କରି ଶ୍ରୀକ୍ଷେତ୍ରର କୁମ୍ଭକାର ସଂପ୍ରଦାୟମାନଙ୍କ ମଧ୍ୟରେ କୁରାଳ ପଂଚମୀ ପାଳନର ଏକ ସ୍ୱତନ୍ତ୍ର ପାରମ୍ପରିକ ନିତୀ ରହିଛି । କୁରାଳ ପଞ୍ଚମୀର ପ୍ରାୟ ୨-୪ ଦିନ ପୂର୍ବରୁ ହିଁ ପୂଜା ପାଇଁ ପ୍ତସ୍ତୁତି ପର୍ବ ଆରମ୍ଭ ହୋଇଯାଏ । ଏହି ସମୟରେ ସମସ୍ତ କୁମ୍ଭକାର କାର୍ଯ୍ୟ ବନ୍ଦ କରିଥାନ୍ତି । ଘର, ଦ୍ୱାର, ବା଼ଡ଼ି, ଅଗଣା ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ଲିପା ପୋଛା କରାଯାଇଥାଏ । ଘରର ସ୍ତ୍ରୀ ଲୋକମାନେ ଘରେ, କାନ୍ଥରେ ଝୋଟି ଚିତା ପକାଇଥାନ୍ତି । ପଞ୍ଚମୀର ପୂର୍ବଦିନ ମାଟିରେ ତିଆରି ଲକ୍ଷ୍ମୀନାରାୟଣଙ୍କ ର ଯୁଗ୍ମ ପ୍ରତିମା ଆଣି ଉଆ ଶାଳ(ମାଟିପାତ୍ର ପୋଡିବା ପାଇଁ ବ୍ୟବହୃତ ହେଉଥିବା ଚୁଲା ବା ଶାଳ) ଘରେ ଆସନରେ ସ୍ଥାପନ କରାଯାଇଥାଏ । ତା ପରେ କୁମ୍ଭକାର ସରଞ୍ଜାମ ଯଥା: ଚକ, ବାଡି, କୁଣ୍ଡ, ପିଣ୍ଡ, ପିଟଣା, ଜୋରା ପଥର, ଶାବଳ, କୋଡି, କୋଦାଳ ଆଦି କୁ ପରିଷ୍କାର ଭାବେ ଧୁଆ ପୋଛା କରି ସେଥିରେ ଚିତା ପକାଯାଇ ସେଠାରେ ସଜାଇ ରଖାଯାଏ ଏବଂ ସେଠାରେ ଗଣେଷଙ୍କର ଏକ ଛୋଟ ମାଟି ମୂର୍ତି ନିଶ୍ଚିତ ଭାବରେ ରଖାଯାଏ । ଆର୍ôଥକ ସମସ୍ୟା ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣ ଯୋଗୁଁ ହେଉ କେହି ବି ଯଦି ଲକ୍ଷ୍ମୀନାରାୟାଣଙ୍କ ମୂର୍ତ୍ତି ପୂଜା କରି ନପାରିଲେ, ତେବେ ଶାଳ ସରଞ୍ଜାମ ପାଖରେ ଗଣେଷଙ୍କର ମାଟି ମୂର୍ତ୍ତିଟି ନିଶ୍ଚିତ ଭାବରେ ରଖି ପୂଜା କରିବାର ବିଦ୍ଧି ରହିଛି ।
ପାଞ୍ଚ ଦିନ ବ୍ୟାପି ପାଳିତ ଏହି ପର୍ବରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ଭୋଗରେ ଶ୍ରୀମନ୍ଦିର ପରମ୍ପରା ସହ କିଛି ସାମଞ୍ଜସ୍ୟ ରହିଥାଏ । ଶ୍ରୀମନ୍ଦିରରେ ଯେମିତି ରନ୍ଧା ଭୋଗରେ ଗୋଲା ଆଳୁ, ବିଲାତି ବାଇଗଣ, ଅମୃତଭଣ୍ଡା ଇତ୍ୟାଦି ବିଦେଶୀ ପରିବା ପଡେ ନାହିଁ, ସେମିତି ଏହି ପର୍ବରେ ଠାକୁରଙ୍କ ପାଖରେ ଲାଗି ହେଉଥିବା ରନ୍ଧା ଭୋଗରେ ଏ ସବୁ ପରିବା ପଡେନାହିଁ କି, ତେଲର ବ୍ୟବହାର ମଧ୍ୟ ହୁଏନାହିଁ । କେବଳ ଶୁଦ୍ଧ ଦେଶୀ ଗୁଆ ଘିଅରେ ସମସ୍ତ ପ୍ରସ୍ତୁତି କରାଯାଏ ।
ପ୍ରଥମ ଦିନ: ପଞ୍ଚମୀ ଦିନ ସକାଳୁ ବ୍ରାହ୍ମଣ ଆସି ହୋମ, ଯଜ୍ଞ ପୂଜା କରି ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରନ୍ତି ଏବଂ ସେ ସମୟରେ ଶୁଖିଲା ଭୋଗ ଯଥା: ଫଳମୂଳ, ଖଇ, କୋରା ଆଦି ବାଳ ଭୋଗ କରାଯାଏ । ଦ୍ୱିପ୍ରହରରେ ଘରେ ଅରୁଆ ଚାଉଳରେ ପ୍ରସ୍ତୁତ ଭାତ, ଡାଲମା ଏବଂ ଶାଗ ଭୋଗ ହୁଏ । ସନ୍ଧ୍ୟା ରେ ବ୍ରାହ୍ମଣ ଆସି ପୂଜା କରି ବାଳ ଭୋଗ କରାହୁଏ ଏବଂ ଠାକୁରଙ୍କୁ ବନ୍ଦାପନା କରାଯାଏ । ବନ୍ଦାପନା ର ଗୋଟିଏ ବିଶେଷତା ହେଉଛି ପ୍ରତ୍ୟେକଙ୍କ ଘରର କୂଳବଧୂ ମାନେ ଏକାଠି ହୋଇ ସମବେତ ଭାବେ ସମସ୍ତଙ୍କ ଘରେ ଯାଇ ବନ୍ଦାପନା କରିଥାନ୍ତି ।
ଦ୍ୱିତୀୟ ଦିନ: ଷଷ୍ଠୀ ତିଥିରେ ଓଢ଼ଣ ଷଷ୍ଠୀ ପାଳନ କରାଯାଏ । ଏହି ଦିନ ମଧ୍ୟ ଶ୍ରୀମନ୍ଦିର ସମେତ ଉତ୍କଳର ପୁରପଲ୍ଲୀରେ ଥିବା ପ୍ରାୟ ପ୍ରତ୍ୟେକ ମନ୍ଦିରରେ ବିଗ୍ରହ ମାନଙ୍କୁ ନୂତନ ବସ୍ତ୍ର ଦ୍ୱାରା ଘୋଡା ଯାଇଥାଏ । ଅତ୍ୟଧିକ ଶୀତରୁ ରକ୍ଷା ପାଇବାକୁ ବିଗ୍ରହମାନଙ୍କୁ ଏହି ଷଷ୍ଠୀ ତିଥିରେ ଘୋଡ ବସ୍ତ୍ର ଲାଗି କରାଯାଇଥାଏ ବୋଲି ଏହି ତିଥିକୁ ଓଢ଼ଣ ଷଷ୍ଠୀ କୁହାଯାଏ । ଏହି ଦିନ ସକାଳୁ ବ୍ରାହ୍ମଣ ଆସି ପୂଜା କରି ବାଳଭୋଗ କରନ୍ତି । ଉଆ ଘରେ ସ୍ଥାପନ କରାଯାଇଥିବା ଲକ୍ଷ୍ମୀନାରାୟାଣ ମୂର୍ତି ସମେତ ପୂଜାରେ ବସିଥିବା ସମସ୍ତ ସରଞ୍ଜାମଙ୍କୁ ନୂତନ ବସ୍ତ୍ର ଅର୍ପଣ କରାଯାଇଥାଏ । ଦ୍ୱିପ୍ରହରରେ ଠାକୁରଙ୍କୁ ପିଠା ଭୋଗ କରାଯାଏ । ସେଦିନ ଖେଚୁଡି, ଡାଲମା, ଖିରୀ ସହିତ ଆରିଶା, କାକରା, ମଣ୍ଡା, ଚକୁଳି ସମେତ ନିଜର ସକ୍ଷ ଅନୁସାରେ ଚିତଉ ପିଠାକୁ ଛାଡି, ପ୍ରାୟ ୧୦-୧୨ ପ୍ରକାରର ନାନାଦି ପିଠା ଭୋଗ କରାଯାଏ ଏବଂ ସନ୍ଧ୍ୟାରେ ବ୍ରାହ୍ମଣ ଆସି ପୁନର୍ବାର ପୂଜା କରି ବାଳଭୋଗ କରିବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଏ ।
ତୃତୀୟ ଦିନ: ପର୍ବର ତୃତୀୟ ଦିନର ମୂଖ୍ୟ ଭୋଗ ହେଉଛି ଦହିପଖାଳ । ସଖାଳୁ ବ୍ରାହ୍ମଣ ଆସି ବାଳଭୋଗ କରି ଗଲାପରେ ଦ୍ୱିପ୍ରହରରେ ଅରୁଆ ଅନ୍ନ, ଡାଲମା, ଶାଗ ଇତ୍ୟାଦି ସହ ଦହିପଖାଳ ନିଶ୍ଚିତ ଭାବେ ଭୋଗ କରାଯାଏ । ପୁନର୍ବାର ସନ୍ଧ୍ୟାରେ ବ୍ରାହ୍ମଣ ଆସି ପୂଜା କରି ବାଳ ଭୋଗ କରନ୍ତି ଏବଂ ଠାକୁରଙ୍କର ବନ୍ଦାପନା କରାଯାଏ ।
ଚତୁର୍ଥ ଦିନ: ଚତୁର୍ଥ ଦିନର ଭୋଗ ହେଉଛି ଖେଚୁଡି ଡାଲମା । ସଖାଳୁ ବ୍ରାହ୍ମଣ ଆସି ବାଳଭୋଗ କରି ଗଲାପରେ ଦ୍ୱିପ୍ରହରରେ ଖେଚୁଡି ଭୋଗ କରାଯାଏ । ସନ୍ଧ୍ୟାରେ ବ୍ରାହ୍ମଣ ଆସି ବାଳଭୋଗ କରନ୍ତି ଏବଂ ତାପରେ ଠାକୁରଙ୍କୁ ବନ୍ଦାପନା କରାଯାଏ ।
ପଞ୍ଚମ ଦିନ: ପଞ୍ଚମ ଦିନର ମୂଖ୍ୟ ଭୋଗ ହେଉଛି ଚକୁଳି ଡାଲମା । ସକାଳୁ ବ୍ରହ୍ମଣ ଆସି ବାଳଭୋଗ କରି ଯିବା ପରେ ଚକୁଳି ପିଠା ଏବଂ ଡାଲମା ଭୋଗ କରାଯାଏ । କେହି କେହି ଅନ୍ନ, ଡାଲମା, ଶାଗ ସହିତ ଚକୁଳି ପିଠା ଭୋଗ କରାଯାଏ । ସନ୍ଧ୍ୟା ରେ ବ୍ରହ୍ମଣ ଆସି ହୋମକରି ଠାକୁରଙ୍କୁ ଗୁଡପାଣି ସହିତ ବାଳଭୋଗ କରି ବିସର୍ଜନ କରନ୍ତି ଏବଂ ପୂଜାରେ ବସିଥିବା ସରଞ୍ଜାମ ଗୁଡିକୁ ନିଜ ଆସ୍ଥାନରୁ ଉଠାନ୍ତି । ଯାହାକୁ ସ୍ଥାନୀୟ ଭାଷାରେ ଚକା ଛାଡ କରନ୍ତି ବୋଲି କୁହାଯାଏ । ଏହା ପରେ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତ୍ତିକୁ ପଟୁଆରରେ ନେଇ ନଦୀ, ପୋଖରି ବା ସମୁଦ୍ର ଜଳରେ ବିସର୍ଜନ କରାଯାଏ ।
ଏହା ପରେ ଶ୍ରୀକ୍ଷେତ୍ରର କୁମ୍ଭକାର ସଂପ୍ରଦାୟ ପୁନର୍ବାର କାମ ଆରମ୍ଭ ପାଇଁ ଏକ ଶୁଭ ମୁହୂର୍ତର ଅପେକ୍ଷା କରନ୍ତି । କୁମ୍ଭକାର ନିଯୋଗ ଗଣକଙ୍କ ଦ୍ୱାରା ସ୍ଥିର ହୋଇଥିବା ଶୁଭ ମୁହୂର୍ତ ଘୋଷଣା କରିବା ପରେ ଯାଇ ନୂତନ କାମ ଅନୁକୂଳ କରାଯାଏ ।
ସ୍ଥାନ ବିଶେଷରେ ଗ୍ରାମାଂଚଳ ମାନଙ୍କରେ ପୂଜାରେ କିଛିଟା ପ୍ରଭେଦ ଦେଖାଯାଏ । କେହି କେହି ପଂଚମୀ ଏବଂ ଷଷ୍ଠୀ ଏହି ଦୁଇଦିନ ବିଦ୍ଧି ମୁତାବକ ପୂଜା କରି ପାଂଚ ଦିନ କିମ୍ବା ସାତ ଦିନରେ ଠାକୁରଙ୍କୁ ବିସର୍ଜନ କରନ୍ତି ଏବଂ ଏକ ଶୁଭ ମୁହୂର୍ତ୍ତ ଦେଖି ନୂତନ କାମ ଅନୁକୂଳ କରି ଥାଆନ୍ତି ।
ଡଃ ରାଜଲକ୍ଷ୍ମୀ ଜେନା
ଧର୍ମଶାସ୍ତ୍ର ଏବଂ ଜଗନ୍ନାଥ ସଂସ୍କୃତି ଗବେଷିକା
