ପୁରୀ (ଭିଓଭି): ଭାରତର ଭରପୁର ପ୍ରାକୃତିକ ପରିବେଶ ରୁ କିଛି ଅଭିଜ୍ଞତା ସାଉଁଟି ନିଜ ମାଟିକୁ ଫେରିଯିବା ପାଇଁ ତିନି ମାସର ଭିସା ଆଣି ପୁରୀ ରେ ପହଁଚିଥିଲେ ନେଦରଲାଣ୍ଡର ୭୨ ବର୍ଷୀୟ ପର୍ଯ୍ୟଟକ ତଥା ପ୍ରକୃତି ପ୍ରେମୀ ଆନ୍ଥୋନୀ ଭ୍ୟାନ ଅର୍କେଲ । ମାତ୍ର ପୁରୀ ରେ ପହଂଚିବା ପରେ ବିଦେଶୀ ପର୍ଯ୍ୟଟକ ଜଣଙ୍କ ଠାରୁ ନଗଦ ତିନିଲକ୍ଷ ସତାଅଶୀ ହଜାର ଟଙ୍କା ସହ ସର୍ବସ୍ୱ ଲୁଟି ନେଲା ଜଣେ ଟାକ୍ସି ଡ୍ରାଇଭର । ପୋଲିସ୍ କେବଳ ଅଭିଯୁକ୍ତର ଟ୍ୟାକ୍ସିଟିକୁ ଜବତ କରି ପର୍ଯ୍ୟଟକ ଜଣଙ୍କୁ ଭିକାରୀ ମାନଙ୍କ ପାଇଁ ଉଦିଷ୍ଟ ଆଶ୍ରୟସ୍ଥଳ ରେ ଛାଡି ଦେଇ ନିରବରେ ବସିପଡିଛି । ଏଣେ ଦୀର୍ଘ ୩୪ ଦିନ ହେବ ବିଦେଶୀ ପର୍ଯ୍ୟଟକ ଜଣକ ନିଜ ଦେଶକୁ ଫେରି ନ ପାରି ଭିକାରୀ ଆଶ୍ରୟ ସ୍ଥଳରେ ଦିନ କାଟୁଛନ୍ତି । ଘଟଣାରୁ ପ୍ରକାଶ ଯେ, ନେଦରଲାଣ୍ଡର ୭୨ ବର୍ଷିୟ ପର୍ଯ୍ୟଟକ ଆନ୍ଥୋନୀ ଭ୍ୟାନ ଅର୍କେଲ ଭାରତ ଭ୍ରମଣରେ ଆସି ଗତ ଡିସେମ୍ବର ମାସ ୧୮ ତାରିଖରେ ପହଁଚିଥିଲେ । ଅନେକ ସ୍ଥାନ ଭ୍ରମଣ ପରେ ଜାନୁଆରୀ ୯ ତାରିଖରେ ପୁରୀ ତୋଷାଲି ସ୍ୟାଣ୍ଡ୍ସ ହୋଟେଲରେ ରହି ୧୧ ତାରିଖ ଦିନ ଗୋଟିଏ ଟାକ୍ସି ଯୋଗେ ଶିମିଳିପାଳ, ଭିତରକନିକା ଆଦି ସ୍ଥାନ ଭ୍ରମଣରେ ବାହାରିଥିଲେ । ମାତ୍ର ଚାନ୍ଦବାଲି ଠାରେ ସଂପୃକ୍ତ ଟାକ୍ସି ଡ୍ରାଇଭର ଜଣଙ୍କ କୌଶଳ କ୍ରମେ ଉକ୍ତ ପର୍ଯ୍ୟଟକଙ୍କ ପାଖରେ ଥିବା ତିନିଲକ୍ଷ ସତାଅଶୀ ହଜାର ଟଙ୍କା କୁ ଲୁଟି ନେଇଥିଲା ଏବଂ ବିଭିନ୍ନା ବାହାନା ଦେଖାଇ ସେଠାରୁ ଭୁବନେଶ୍ୱର ଫେରି ଆସି ସେଠାରେ ଦୁଇ ଦିନ ବନ୍ଦ ଘର ଭିତରେ ରଖିଥିଲା ଏବଂ ପରେ ପୁରୀରେ ଆଣି ବିଭିନ୍ନ ବାହାନା ଦେଖାଇ ନିଜ ଘରେ ୧୧ ଦିନ ରଖିବା ପରେ ତୁମ ଟଙ୍କା ମିଳି ଯାଇଛି ଏବଂ ଚୋର ଧରା ପଡିଛି, ମୁମ୍ବାଇ ପୋଲିସ୍ ମୋତେ ଫୋନ କରିଥିଲେ ସେଠାକୁ ଯିବାକୁ ହେବ କହି କୌଶଳ କ୍ରମେ ପର୍ଯ୍ୟଟକ ଜଣଙ୍କର ହାତ ଘଂଟା, ମୁଦି, କ୍ୟାମେରା ଇତ୍ୟାଦି ସହିତ ପାଖରେ ଥିବା ଅବଶିଷ୍ଟ ଏକଲକ୍ଷ ପଚାଶ ହଜାର ଟଙ୍କା ଲୁଟି ନେଇ ଦିଲ୍ଲି ଯିବା ଟ୍ରେନ୍ ରେ ବସାଇ ଦେଇଥିଲା । ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୁଣି ଠକାମିର ଶିକାର ହୋଇଥିବା ଜାଣିବା ପରେ ପୁରୀ ଫେରି ଆସି ଜାନୁଆରୀ ୨୫ ତାରିଖରେ ମେରାଇନ୍ ଥାନାରେ ଅଭିଯୋଗ କରିଥିଲେ । ତାପରେ ପୋଲିସ୍ ତାଙ୍କୁ ପୁରୀ ବଳିଆପଣ୍ଡା ସ୍ଥିତ ଏକ ଭିକାରି ଆଶ୍ରୟ ସ୍ଥଳରେ ଛାଡି ଘଟଣାର ଛାନ୍ଭିନ୍ କରି ସଂପୃକ୍ତ ଟ୍ୟାକ୍ସି(ନଂ-ଙଊ ୦୨ ଈଟ ୮୭୨୩) କୁ ଜବତ କରି ବଳିଆପଣ୍ଡା ଥାନାରେ ଅଟକ ରଖିଛନ୍ତି । ହେଲେ ପୋଲିସ୍ ଉକ୍ତ ଟ୍ୟାକ୍ସି ଡ୍ରାଇଭରକୁ ଧରିବାରେ ଏ ଯାଏ ସଫଳ ହୋଇ ପାରି ନାହାନ୍ତି । ଏ ବିଷୟ ପୁରୀ ‘ଉମିଦ ଫାଉଣ୍ଡେସନ’ ର ସଂପାଦକ ତଥା ଯୁବ ସମାଜସେବୀ ଡାନିଆଲ ନାୟକ ଜାଣିବା ପରେ ସଂପୃକ୍ତ ପର୍ଯ୍ୟଟକଙ୍କୁ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ମିଶ୍ର ଏବଂ ଉପ ଆରକ୍ଷୀ ଅଧିକ୍ଷକ ସହରାଂଚଳ ପ୍ରଶାନ୍ତ କୁମାର ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଫେବୃଆରୀ ୯ ତାରିଖରୁ ଆଜି ଯାଏ ପୋଲିସ୍ କିଛି ପଦକ୍ଷେପ ନେଇ ନାହାନ୍ତି । ପୁରୀକୁ ଦୈନନ୍ଦିନ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସି ଥାଅନ୍ତି । ପୁରୀ ର ଗୌରବ ରକ୍ଷା ଏବଂ ବିଦେଶରେ ପୁରୀ ର ଭାବମୂର୍ତି ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଏହି ସଂବେଦନଶୀଳ ପ୍ରସଙ୍ଗଟିକୁ ହାଇଲାଇଟ ନକରି, ବିଦେଶୀ ପର୍ଯ୍ୟଟକ ଜଣଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ମୁଁ ଚେଷ୍ଟା କରିଥିଲି । ମାତ୍ର ସରକାରଙ୍କ ଉଦାସୀନତା ଯୋଗୁଁ ବିଦେଶୀ ପର୍ଯ୍ୟଟକ ଜଣକ ନିଜ ଦେଶକୁ ଫେରି ନପାରି ଆଜି ଭିକାରି ମାନଙ୍କ ପାଇଁ ଉଦିଷ୍ଟ ଆଶ୍ରୟସ୍ଥଳ ରେ ରହିଛନ୍ତି । ତେଣୁ ଏହି ସମ୍ବେଦନଶୀଳ ଘଟଣାଟିକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ କାମନା କରୁଛି ବୋଲି ସମାଜସେବି ଡାନିଆଲ ପ୍ରକାଶ କରିଛନ୍ତି ।
