ଭୁବନେଶ୍ୱର: ସୃଷ୍ଟି ହେଲା ଅବପାତ । ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି । ଏହା ପାରାଦୀପ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୧୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳକୁ ସାଗର ଦୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ମଧ୍ୟାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଅବପାତ ପ୍ରଭାବରେ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ବାକି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଁ SRC ନିର୍ଦ୍ଦେଶ ଦେଇଛନ୍ତି ।
