ସୁକୁମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ସକାଳେ ସୁରକ୍ଷାବାହିନୀ ସହ ଘମାଘୋଟ୍ ଗୁଳି ବିନିମୟରେ ଅତି କମରେ ୧୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। କେର୍ଲାପାଲ ଥାନା ଅଞ୍ଚଳର ଏକ ଜଙ୍ଗଲରେ ଏହି ସଂଘର୍ଷ ହୋଇଥିଲା, ଯେଉଁଠାରେ ସୁରକ୍ଷାବାହିନୀ ମାଓବାଦୀ ବିରୋଧୀ ଅଭିଯାନରେ ନିୟୋଜିତ ଥିଲେ।
ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମିଳିତ ଦଳ ଦ୍ୱାରା ପରିଚାଳିତ ହୋଇଥିଲା। କେର୍ଲାପାଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କିତ ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ସକାଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା ଓ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ପଦାର୍ଥ ମଧ୍ୟ ଜବତ ହୋଇଛି, ଅଭିଯାନ ଏପର୍ଯ୍ୟନ୍ତ ଜାରି ରହିଛି।
ଏହା ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ବିଜାପୁର ଓ କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀ ସହ ସଂଘର୍ଷରେ ୩୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଥିଲେ। ଏହାର ୧୦ ଦିନ ପରେ ସୁକମାରେ ଘଟିଥିବା ଏହି ନୂଆ ସଂଘର୍ଷ ମାଓବାଦୀ ବିରୋଧୀ ଅଭିଯାନର ଉଦ୍ଦେଶ୍ୟ ସ୍ପଷ୍ଟ କରୁଛି। ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ।
ଅନ୍ୟ ଏକ ଘଟଣାରେ, ମଙ୍ଗଳବାର ବିଜାପୁର-ଦାନ୍ତେୱାଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଥିଲେ ସୁଧୀର ଓରଫ ସୁଧାକର ଉର୍ଫ ମୁରଲି, ଯିଏ ଦାଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ। ତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
