ବାଲେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଅମରେଶ ଜେନା ଗିରଫ ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୋଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ରବିବାର ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍ ନଂ-୩୯୪ରେ ବିଏନ୍ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି।

ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍ ଚାଲିନାହିଁ । ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି । ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ । ଛାଡ଼ପତ୍ର ପରେ ଆମେ ବିବାହ କରିବା । ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ । ଗର୍ଭ ନଷ୍ଟ ପରେ ମଧ୍ୟ ଉଭୟ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ । ତେବେ ଗତ ଏପ୍ରିଲ୍ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍ରେ ନେଇ ହଠାତ୍ ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।

