ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃଆରୀ ୨୫ ଓ ୨୬ ତାରିଖରେ ଦୁଇ ଦିନିଆ ଗସ୍ତରେ ଇସ୍ରାଏଲ ଯାଉଛନ୍ତି । ଏହି ଗସ୍ତ ପୂର୍ବରୁ ଭାରତ ଏବଂ ଇସ୍ରାଏଲ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଉଭୟ ଦେଶ ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ମିଳିତ ଭାବରେ ସହଯୋଗ କରିବାକୁ ମଧ୍ୟ ଚାହୁଁଛନ୍ତି । ଏହି ଗସ୍ତ ସମୟରେ ସୁରକ୍ଷା ସହଯୋଗ ଉପରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବାର ଆଶା କରାଯାଉଛି । ଆଗାମୀ ବର୍ଷଗୁଡ଼ିକରେ ଏହି ସହଯୋଗ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ହେବ ବୋଲି ଆକଳନ କରାଯାଉଛି ।
ସୂଚନାନୁଯାୟୀ, ଇସ୍ରାଏଲ ଭାରତକୁ ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଯୋଗାଇବାକୁ ପ୍ରସ୍ତୁତ କରୁଛି । ଏଥିରେ ଲେଜର ଆଧାରିତ ପ୍ରତିରକ୍ଷା ପ୍ରଣାଳୀ, ଦୂରଗାମୀ ମିସାଇଲ ଏବଂ ଡ୍ରୋନ୍ ସାମିଲ ରହିଛି । ଇସ୍ରାଏଲ ଏଥର ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିପାରେ ବୋଲି ସୂଚନା ମିଳୁଛି । ଯାହା ପୂର୍ବରୁ ଇସ୍ରାଏଲ ପ୍ରଦାନ କରିନଥିଲା । ଭାରତ ଏବଂ ଇସ୍ରାଏଲ ଏକ ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଉପରେ ଏକାଠି କାମ କରିପାରନ୍ତି । ଏହା ଭାରତର ମିଶନ ସୁଦର୍ଶନର ଏକ ପ୍ରମୁଖ ଅଂଶ । ଯାହା ଦେଶକୁ ଶତ୍ରୁ ଦୂରଗାମୀ ମିସାଇଲରୁ ରକ୍ଷା କରିବା ପାଇଁ ଲକ୍ଷ୍ୟ ରଖିଛି । ଇସ୍ରାଏଲ ପାଖରେ ଆରୋ, ଡେଭିଡ୍ ସ୍ଲିଙ୍ଗ ଏବଂ ଆଇରନ୍ ଡୋମ୍ ଭଳି ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ରହିଛି ।
ଏଥିସହ ଭାରତ ଦୂରଗାମୀ ମିସାଇଲ ଏବଂ ଡ୍ରୋନ୍ କିଣିବାର ବିଚାର କରୁଛି । ଯାହା ସୀମା ଭିତରକୁ ଆସୁଥିବା ଶତ୍ରୁମାନଙ୍କୁ ମାରିପାରିବ । ପୂର୍ବରୁ ରାମ୍ପେଜ୍ ମିସାଇଲ ଏବଂ ଅନ୍ୟ ଶସ୍ତ୍ରର ଉପଯୋଗ କରିସାରିଛି । ନୌସେନା ମଧ୍ୟ ଜାହାଜର ସୁରକ୍ଷା ପାଇଁ ବରାକ ମିସାଇଲ ସିଷ୍ଟମର ନୂଆ ଭର୍ସନ କିଣିବାକୁ ବିଚାର କରୁଛି ।
ଅନ୍ୟପଟେ ପ୍ରତିରକ୍ଷା ବ୍ୟତୀତ ଦୁଇ ଦେଶ ବିଜ୍ଞାନ, କୃଷି, ସ୍ୱଚ୍ଛ ଜଳ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ସୂଚନା ମିଳୁଛି । ଉଭୟ ଦେଶ ଆତଙ୍କବାଦ ବିରୋଧରେ ସମାନ ମନୋଭାବ ରଖିଛନ୍ତି ।
