ଭୁବନେଶ୍ୱର: ଗଣମାଧ୍ୟମ ସବୁବେଳେ ପୀଡିତଙ୍କ ସ୍ବର ହେବା ଉଚିତ୍ ବୋଲି ଆଜି ଏଠାରେ ବହୁଭାଷୀ ସାପ୍ତାହିକ ସମ୍ବାଦପତ୍ର ଭଏସ୍ ଅଫ୍ ଭିକ୍ଟିମ୍ସ ର ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଚନ୍ଦ୍ରଶେଖରପୁର ସ୍ଥିତ ପିପୁଲ୍ ପଦ୍ମଜା ପ୍ରିମିୟମ ହୋଟେଲରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ସଞ୍ଜୟ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଣମାଧ୍ୟମ ସବୁବେଳେ ପିଡିତଙ୍କ ସ୍ବର ହେବା ଉଚିତ୍। ତେବେ ଅନେକ ସମୟରେ ଅଭିଯୁକ୍ତ ମଧ୍ୟ ପିଡିତ ହୋଇଥିବାର ଆଶଙ୍କା ରହିଛି। ତେଣୁ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଦୁଇ ସମ୍ମାନିତ ଅତିଥି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଓ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଲ ସ୍କୁଲ ପ୍ରତିଷ୍ଠାତା ଡିନ୍ ଡକ୍ଟର ପଲ୍ଲବ ଦାସ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ସାପ୍ତାହିକ ଭଏସ୍ ଅଫ୍ ଭିକ୍ଟିମ୍ସର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଶତ୍ରୁଜିତ୍ ଭଏସ୍ ଅଫ୍ ଭିକ୍ଟିମ୍ସର ଉନ୍ମୋଚିତ ସଂଖ୍ୟାରେ ପ୍ରକାଶିତ ନିବନ୍ଧ ଓ ସମ୍ବାଦ ସମ୍ପର୍କରେ ସମୀକ୍ଷା କରି ସାଂପ୍ରତିକ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ଭଏସ୍ ଅଫ୍ ଭିକ୍ଟିମ୍ସର ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର ସମାରୋହରେ ସଭାପତିତ୍ବ କରି ନିଜ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଓ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଧନ ପରିବାରର ପାର୍ଥ କୁମାର ଦାସଙ୍କ ସହଯୋଗ ଏବଂ ଶୁଭେଚ୍ଛୁମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
