ନୂଆଦିଲ୍ଲୀ : ରାଜ୍ୟସଭା ଯିବା ଖବର ମଧ୍ୟ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ନିତିଶ ଏହାକୁ ନେଇ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଗତ ଦୁଇ ଦଶକରୁ ଅଧିକ ସମୟ ଆପଣମାନେ ନିଜର ବିଶ୍ବାସ ଏବଂ ସମର୍ଥନକୁ ମୋ ସହିତ ରଖିଛନ୍ତି । ଏହି ବଳରେ ଆମେ ବିହାରର ତଥା ଆପଣ ସମସ୍ତଙ୍କର ସମ୍ପୂର୍ଣ୍ଣ ନିଷ୍ଠାର ସହ ସେବା କରିଛୁ । ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନର ଶକ୍ତି ହିଁ ଥିଲା ଯେ ବିହାର ଆଜି ବିକାଶ ଏବଂ ସମ୍ମାନର ଏକ ନୂତନ ଆୟାମ ପ୍ରସ୍ତୁତ କରୁଛି । ଏଥିପାଇଁ ପୂର୍ବରୁ ମଧ୍ୟ ମୁଁ ଅନେକ ଥର ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି ।
ସଂସଦୀୟ ଜୀବନ ଆରମ୍ଭ କରିବା ସମୟରୁ ହିଁ ମୋ ମନରେ ଏକ ଇଚ୍ଛା ଥିଲା ଯେ ମୁଁ ବିହାର ବିଧାନ ମଣ୍ଡଳର ଉଭୟ ସଦନ ସହିତ ସଂସଦର ମଧ୍ୟ ଉଭୟ ସଦନର ସଦସ୍ୟ ହେବି । ଏହି କ୍ରମରେ ଏଥର ହେଉଥିବା ନିର୍ବାଚନରେ ମୁଁ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି ।
ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ବିଶ୍ୱାସ ଦେବାକୁ ଚାହୁଁଛି ଯେ, ଆପଣଙ୍କ ସହିତ ମୋର ଏହି ସମ୍ପର୍କ ଭବିଷ୍ୟତରେ ମଧ୍ୟ ରହିବ ଏବଂ ଆପଣଙ୍କ ସହ ମିଶି ଏକ ବିକଶିତ ବିହାର ଗଠନ କରିବାର ସଂକଳ୍ପ ପୂର୍ବପରି କାଏମ ରହିବ । ଯେଉଁ ନୂତନ ସରକାର ଗଠନ ହେବ, ତାଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ମିଳିବ । ଅନ୍ୟପଟେ ନିତିଶଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ଜେଡିୟୁ ସଦସ୍ୟ ଓ ସମର୍ଥକ ।
