ଚେନ୍ନାଇ : ପାକିସ୍ତାନକୁ ଟାର୍ଗେଟ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ଖରାପ ପଡ଼ୋଶୀ ବୋଲି କହିଛନ୍ତି । ଭାରତକୁ ନିଜ ସୁରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ଆମର ସୁରକ୍ଷା ଆମେ ଯେମିତି ଚାହୁଁବୁ, ସେମିତି କରିବୁ । ଆଇଆଇଟି ମାଡ୍ରାସରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର ଏଭଳି କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ, ପଡ଼ୋଶୀମାନେ ଖରାପ ହୋଇପାରନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଆମର । ଯଦି କୌଣସି ଦେଶ ଜାଣିଶୁଣି, ନିରନ୍ତର ଏବଂ ଅନୁତାପ ନକରି ଆତଙ୍କବାଦ ଜାରି ରଖିବାକୁ ନିଷ୍ପତ୍ତି ନିଏ, ତେବେ ଆମର ଲୋକଙ୍କୁ ଏଥିରୁ ରକ୍ଷା କରିବାର ଅଧିକାର ଆମର ଅଛି ।
ଶୁକ୍ରବାର ଆଇଆଇଟି ମାଡ୍ରାସରେ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆମେ ଏହି ଅଧିକାରକୁ କିପରି ବ୍ୟବହାର କରୁ ତାହା ଆମ ଉପରେ ନିର୍ଭର କରେ । ଆମେ କ’ଣ କରିବା ଉଚିତ କିମ୍ବା ନ କରିବା ଉଚିତ ତାହା କେହି କହିପାରିବେ ନାହିଁ । ଆମେ ନିଜକୁ ସୁରକ୍ଷା ଦେବା ପାଇଁ ଯାହା କରିବାକୁ ପଡିବ ତାହା କରିବୁ ।
