ଓଡଗାଁ (ଆଦର୍ଶ କୁମାର ପଟ୍ଟନାୟକ ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରେ ଭତ୍ତା ବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି | ନଭେମ୍ବର ମାସର ଭତ୍ତା ହିତାଧିକାରୀଙ୍କୁ ୧୫, ୧୬ ତାରିଖରେ ପ୍ରଦାନ କରିବାକୁ ନିୟମ ରହିଥିବା ବେଳେ ଓଡଗାଁ ଏନଏସିରେ ଏହାର ବ୍ୟତିକ୍ରମ ଦେଖାଦେଇଛି | ଏହି ମାସରେ ପ୍ରଥମାଷ୍ଟମୀ, ଗୁରୁବାର ପୂଜା ଭଳି ପଡୁଥିବା ବେଳେ ଏନଏସି କର୍ତ୍ତୃପକ୍ଷ ବୃଦ୍ଧା ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ଭତ୍ତା ଦେବାରେ ଅହେତୁକ ବିଳମ୍ବ କରିବା ନେଇ ହିତାଧିକାରୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଦେଇଛି | ବାରମ୍ବାର ସେମାନେ ଏନଏସି ଅଫିସ ଦୌଡ଼ି ଦୌଡି ନିରାଶ ହୋଇଥିବା କହିଛନ୍ତି | ହେଲେ ଭତ୍ତା ବାଣ୍ଟିବା ଦାୟିତ୍ୱରେ ଥିବା ସ୍ଥାନୀୟ ସହରର ଜଣେ ଠିକା କର୍ମଚାରୀ ତାଙ୍କ ଘରୁ ଆସି ଭତ୍ତା ନେବାକୁ କହୁଥିବା ଜଣାଯାଇଛି, ଏପରକି କଣ ମାସ କର ଭତା ନମିଳିଲେ ତୁମେ ମରିଯିବ କି ବୋଲି କୁହାଯାଇଛି | ହେଲେ ଭତ୍ତା ଟଙ୍କା ଗଣ୍ଡାକ ପାଇବାକୁ ସେମାନେ ନୟାନ୍ତ ହୋଇଥିବା ବେଳେ ଡିସେମ୍ବର ମାସର ଭତ୍ତା ସହିତ ଦୁଇ ମାସର ଭତା ଦିଆଯିବ ବୋଲି ସମ୍ପୃକ୍ତ କର୍ମଚାରୀ କହିଥିବା ଉଦୟ ନେହ ସ୍ୱାଇଁ, ଦୟାନିଧି ସାହୁ ଓ ଦୁଇଜଣ ବିଧବା ବୃଦ୍ଧା ଅତ୍ୟନ୍ତ କ୍ଷୋଭର ସହିତ ପ୍ରକାଶ କରିଛନ୍ତି | ଏପରକି ସରକାରଙ୍କୁ ବଦନାମ କରିବାକୁ କର୍ମିରୁ କର୍ମଚାରୀ ସାଜିଥିବା ଠିକା କର୍ମଚାରୀଙ୍କ ଏହା ଏକ ରକମ ଚକ୍ରାନ୍ତ ବୋଲି ନିଜ ବାପାଙ୍କ ଭତ୍ତା ଟଙ୍କା ବୁଝିବାକୁ ଯାଇଥିବା ରାଜୁ ସାହୁ କହିଛନ୍ତି | ଏ ସମ୍ପର୍କରେ ସ୍ଥାନୀୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁଙ୍କୁ ପଚାରିବାରେ ସେ କର୍ମଚାରୀ ନଥିବା ଦର୍ଶାଇ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ସ୍ୱୀକାର କରିବା ସହିତ ଡିସେମ୍ବର ମାସରୁ ନିଜେ ଅଫିସରେ ହିଁ ଭତ୍ତା ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ କହିଛନ୍ତି | ଅନ୍ୟପକ୍ଷେ ଭତ୍ତା ପ୍ରଦାନ ଦାୟିତ୍ୱ ନେଇଥିବା ଠିକା କର୍ମଚାରୀ ଜଣକ ଲକ୍ଷାଧିକ ଟଙ୍କା ଭତ୍ତା ବାବଦକୁ ଅଫିସରୁ ଉଠାଇ ନେଇଯାଇଥିବା ବେଳେ ଭତ୍ତା ପ୍ରଦାନ ନକରି ନିଜେ ପାଖରେ ରଖିବା କେତେ ଦୂର ସମିଚୀନ ପ୍ରଶ୍ନରେ ନିର୍ବାହୀ ଅଧିକାରୀ ନିରୁତର ରହିଥିଲେ। ହେଲେ ହଜାର ହଜାର ଟଙ୍କା ଦରମା ନେଉଥିବା କର୍ମଚାରୀ ଦିନେ ଦୁଇଦିନ ଦରମା ପାଇବାରେ ବିଳମ୍ବ ହେଲେ ଅସହାୟ ହୋଇ ପଡୁଥିବା ବେଳେ ଭତ୍ତା ହିତାଧିକାରୀଙ୍କ ନିମନ୍ତେ ଆଦୌ ଚିନ୍ତା ନଥିବା ଚିନ୍ତାର କାରଣ ପାଲଟିଛି।
