ଭୁବନେଶ୍ୱର: ମହାଙ୍ଗା ହେବ ଓମଫେଡ କ୍ଷୀର । ଦୁଗ୍ଧ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ଷୀର ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ । ଏଥି ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଟର ପିଛା 4 ଟଙ୍କା ଦର ବଢିବାର ଥିଲା । ରାଜ୍ୟ ସରକାର ୨ ଟଙ୍କା ବହନ କରିବେ । ଆଉ ୨ ଟଙ୍କା ଖାଉଟିଙ୍କୁ ଦେବାକୁ ପଡିବ ।
ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି । ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-2 ମିଲ୍କ, ଏ-2 ଘିଅର ଶୁଭ ଉଦ୍ଘାଟନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା।

ପ୍ରତିବର୍ଷ ଆଜିର ଦିନ ଜୁନ 1 ତାରିଖକୁ ଗୋପାଳନ ଦିବସ ଭାବେ ପାଳନ କରାଯାଏ । ଦୁଗ୍ଧ ପୃଷ୍ଟିର ଆଧାର ଓ ଅର୍ଥନୀତିର ସମ୍ବଳ । ଏହା ହେଉଛି ଆଜି ଦିନର ଥିମ୍ । ସାରା ପୃଥିବୀର 25 ପ୍ରତିଶତ ଦୁଗ୍ଧ ଉତ୍ପାଦନ ଆମ ଭାରତରେ ହେଉଛି । ଆମ ରାଜ୍ୟରେ 2023-24 ରେ ଯେତିକି ଉତ୍ପାଦନ ହେଉଥିଲା ଆଗାମୀ 5 ବର୍ଷରେ ଦୁଗ୍ଧ ଉତ୍ପାଦନ ଦୁଇ ଗୁଣ କରିବା ଆମ ଲକ୍ଷ । 1 ହଜାର 423 କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପ୍ରଚଳନ କରାଯାଇଛି କାମଧେନୁ ଯୋଜନା । ଅଧିକ କିଭଳି ଦୁଗ୍ଧ ଉତ୍ପାଦନ ହୋଇପାରିବ ସେଥିପାଇଁ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ 70 ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଗୋମାତା ଯୋଜନାରେ 322 କୋଟି ଟଙ୍କା ସରକାର ରଖିଛନ୍ତି । ନୂତନ ଗୋଶାଳା ପ୍ରତିଷ୍ଠା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ଗୋଶାଳା ପ୍ରତିଷ୍ଠା ଓ 72 ହଜାର ଗାଈ ରଖିବା ପାଇଁ ଯୋଜନା କରାଯାଇଛି। ଗୋ ଉଦ୍ୟମ ଯୋଜନାରେ ସର୍ବାଧିକ 1 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା କରୁଛନ୍ତି ସରକାର । 30 ଲକ୍ଷ ମେଟ୍ରିକ୍ ଟନ୍ ଓମଫେଡ ଘିଅ ଶ୍ରୀମନ୍ଦିରକୁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଆଜିଠାରୁ ସରକାର ଗୋପାଳକଙ୍କୁ ଲିଟର ପିଛା 3 ଟଙ୍କା ଅଧିକ ଦେବେ । ଖାଉଟିମାନଙ୍କ ପାଇଁ ବର୍ଦ୍ଧିତ 4 ଟଙ୍କାରୁ 2 ଟଙ୍କା ସରକାର ବହନ କରିବେ । ବିଶେଷ କରି ଦୁର୍ଘଟଣା ଜନିତ କାରଣରୁ କୃଷକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ । ଦୁଗ୍ଧ ଉତ୍ପାଦନ ଯୋଗୁ ଅପ ପୁଷ୍ଟିରେ ଶିକାର ହେଉଥିବା ଛୋଟ ଛୋଟ ପିଲାମାନଙ୍କୁ ରକ୍ଷା କରା ଯାଇପାରିବ। ଏବର୍ଷର ଥିମ୍ ହେଲା ‘Let celibrate the power of dairy’, ଗୋ ବଂଶର ସୁରକ୍ଷା ପାଇଁ ଆମ ସରକାର ସୁରକ୍ଷା ଦେବେ । ଆମ ଓଡ଼ିଶା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଡେଲ ହେବ। ଗୋ ପାଳକଙ୍କୁ ସମ୍ମାନ ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
