ଭୁବନେଶ୍ୱର : ଇଲେକ୍ଟ୍ରୋହୋମିଓ ଔଷଧର ପ୍ରାଣୀ ଚିକିତ୍ସାରେ ପ୍ରୟୋଗ କ୍ଷେତ୍ରରେ ଗବେଷଣା ଓ ଅନୁସନ୍ଧାନ ଲାଗି ରାଜ୍ୟ ଇଲେକ୍ଟ୍ରୋହୋମିଓ ଚିକିତ୍ସକ ସଂଘ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ହୋଇ ଦୁଇଦିନିଆ କର୍ମଶାଳାର ଆୟୋଜିତ ହୋଇଯାଇଛି। ପ୍ରଥମ ଦିବସରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଡା ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବରେ ଯୋଗଦେଇ କର୍ମଶାଳାର ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା ଶୁଷେନ କୁମାର ପଣ୍ଡା ଯୋଗଦେଇ ପଶୁ ଚିକିତ୍ସା କ୍ଷେତ୍ରରେ ଇଲେକ୍ଟ୍ରୋହୋମିଓପାଥି ଚିକିତ୍ସା ବିଜ୍ଞାନର ବିନିଯୋଗ ଲାଗି ଗବେଷଣା ଓ ଅନୁସନ୍ଧାନ ପ୍ରକ୍ରିୟାକୁ ଆରମ୍ଭ କରିବାକୁ ମତ ରଖିଥିଲେ। କର୍ମଶାଳାଟି ପ୍ରାଣୀଚିକିତ୍ସା ବିଦ୍ୟାଳୟର ଅନୁସନ୍ଧାନରେ ଆୟୋଜିତ ହୋଇଥିବାରୁ କର୍ମଶାଳାର ଆବାହକ ଭାବରେ ଫାର୍ମାସି ବିଭାଗର ମୁଖ୍ୟ ପ୍ର. ଡା କୌତୁକ ସରଦାର ବିଶେଷ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ରାଜ୍ୟ ଇଲେକ୍ଟ୍ରୋହୋମିଓପାଥି ଚିକିତ୍ସକ ସଂଘର ସଭାପତି ଡା ସରୋଜ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ କୃଷି ବିଷୟିକ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଟ ଚିକିତ୍ସକ ଓ ଗବେଷକଙ୍କ ସହ ରାଜ୍ୟ ତଥା ଦେଶର ବହୁ ରାଜ୍ୟରୁ ପାଞ୍ଚଶହରୁ ଊର୍ଦ୍ଧ୍ୱ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ଯୋଗଦେଇଥିଲେ। ରାଜସ୍ଥାନ ଚିକିତ୍ସା ପରିଷଦର ଅଧ୍ୟକ୍ଷ ଡା ହେମନ୍ତ ସେଠିଆ, ପଶ୍ଚିମବଙ୍ଗ ଇଲେକ୍ଟ୍ରୋହୋମିଓ ପାଥିକ୍ କାଉ୍ନସିଲ୍ର ଅଧ୍ୟକ୍ଷ ଡା ଏ. ପି. ମୌର୍ଯ୍ୟା, କସ୍ତୁରବା ଇଲେକ୍ଟ୍ରୋପାଥିକ ଫାଉଣ୍ଡେସନର ମୁଖ୍ୟ ଡା ଅଜୟ କୁମାର ପତି, ରାଜ୍ୟ ଇଲେକ୍ଟ୍ରୋ ହୋମିଓପାଥିକ ବୈଷୟିକ କମିଟିର ଅଧ୍ୟକ୍ଷ ଡା କମଳାକାନ୍ତ ନାୟକ, ଡା ପ୍ରଶାନ୍ତ କୁମାର ସାବତ, ଡା. ମନୋରଞ୍ଜନ ଦାସ, ଡା ସୁଶାନ୍ତ କୁମାର ପାଢ଼ୀ ଏବଂ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଡା ବିମଳ ଚୌଧୁରୀ, ସହ ପ୍ରଧ୍ୟାପିକା ଡା ସାନ୍ତ୍ୱନା ପଲାଇ, ଡା ଯାଜ୍ଞସେନୀ ମେହେର, ଡା ପ୍ରଭାସିନୀ ବେହେରା, ଡା ଶ୍ରେୟା ଅଗ୍ରୱାଲ ପ୍ରମୁଖ ଏହି କର୍ମଶାଳାରେ ମତ ରଖିଥିଲେ। ଦ୍ୱିତୀୟ ଦିବସରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟ ରକ୍ଷାରେ ଇଲେକ୍ଟ୍ରୋ ହୋମିଓପାଥି ଔଷଧର ପାରଦର୍ଶିତାର ଭୂୟସୀ ପ୍ରଶଂସା କରିବା ସହ ଏହି ଚିକିତ୍ସା ବିଜ୍ଞାନର ବ୍ୟାପକ ପ୍ରୟୋଗ ଲାଗି ସରକାର ଧ୍ୟାନ ଦେବେ ବୋଲି ମତ ରଖିଥଲେ। ବିଧାୟକ ବାବୁ ସିଂ ଓ ବିଧାୟକ ଲକ୍ଷ୍ମଣ ବାଗ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇଲେକ୍ଟ୍ରୋହୋମିଓପାଥି ଚିକିତ୍ସା ବ୍ୟବସ୍ଥାର ବିକାଶ ବିସ୍ତାରର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ। ସମାଜସେବୀ ତଥା ରାଜନେତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ରକ୍ଷାରେ ଏହି ଚିକିତ୍ସକମାନଙ୍କର ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ।
