ନୂଆଦିଲ୍ଲୀ: ପଦ୍ମଶ୍ରୀ ହର୍ମାନ କୁଲକେଙ୍କ ପରଲୋକ । ଓଡ଼ିଶା ଇତିହାସର ଅନନ୍ୟ ଗବେଷକ ପ୍ରଫେସର ହର୍ମାନ କୁଲକେଙ୍କ ପରଲୋକ । ଜର୍ମାନୀର ବିଶିଷ୍ଟ ଇତିହାସକାର ତଥା ଓଡ଼ିଶା ସଂସ୍କୃତିର ଜଣେ ବଡ଼ ପ୍ରେମୀ ପ୍ରଫେସର ହର୍ମାନ କୁଲକେଙ୍କର ଦେହାନ୍ତ ହୋଇଛି । ଓଡ଼ିଶାର ଇତିହାସ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୯୭୦ ଦଶକରେ ‘ଓଡ଼ିଶା ରିସର୍ଚ୍ଚ ପ୍ରୋଜେକ୍ଟ’ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ଜଗନ୍ନାଥ ସଂସ୍କୃତି ଏବଂ ଗଜପତି ରାଜାମାନଙ୍କ ଉପରେ ଗଭୀର ଗବେଷଣା କରିଥିଲେ ।
ଜର୍ମାନୀରେ ଜନ୍ମିତ ଏହି ମହାନ ପଣ୍ଡିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତୀୟ ଶିକ୍ଷା ଓ ସାହିତ୍ୟ ପ୍ରତି ତାଙ୍କର ନିଷ୍ଠା ପାଇଁ ଭାରତ ସରକାର ତାଙ୍କୁ ୨୦୧୦ ମସିହାରେ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର ଇତିହାସ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।
