ନୂଆଦିଲ୍ଲୀ: ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବେଜିଂରେ ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଛନ୍ତି । ଏସସିଓ ଅଧ୍ୟକ୍ଷତା କରୁଥିବାରୁ ଚୀନକୁ ସମର୍ଥନ କରିଛନ୍ତି । ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ଲକ୍ଷ୍ୟ ରହିଛି । ଗସ୍ତ ବେଳେ ଉଭୟ ଦେଶ ମଧ୍ୟରେ ଆଲୋଚନା ସକାରାତ୍ମକ ହେବ ବୋଲି ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି ।
ପାଞ୍ଚ ବର୍ଷ ପରେ ଚୀନ ଗସ୍ତରେ ଯାଇଛନ୍ତି ଜୟଶଙ୍କର । ତିଆନଜିନ ସହରରେ ସାଂଘାଇ କୋଅପରେସନ ଅର୍ଗାନାଇଜେସନ-ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ । ଏହି ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇଙ୍କ ସହ ଜୟଶଙ୍କର ଦ୍ୱିପାକ୍ଷିକ ଆଲୋଚନା କରିବେ । ଭାରତ-ଚୀନ ସମ୍ପର୍କକୁ ସୁଧାରିବା ଉପରେ ଆଲୋଚନା ହେବ । ଜୟଶଙ୍କର କହିଛନ୍ତି ଯେ, ଏବେ ଅନ୍ତରାଷ୍ଟ୍ରୀୟ ସ୍ଥିତି ଜଟିଳ ରହିଛି । ପଡୋଶୀ ଦେଶ ଏବଂ ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇଥିବା ଯୋଗୁଁ ଭାରତ ଏବଂ ଚୀନ ମଧ୍ୟରେ ପାରସ୍ପରିକ ବିଚାର ଆଦାନ-ପ୍ରଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ ।

ସେହିପରି ଭାରତ-ପାକ ଉତ୍ତେଜନା, ତିଦ୍ଦତୀୟ ଧର୍ମଗୁରୁ ଦଲାଇଲାମା ପ୍ରସଙ୍ଗ ମୁଖ୍ୟ ଫୋକସ ରହିବ । ସେହିପରି ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟ, ସୀମା ପରିଚାଳନା ଓ ସିଧାସଳଖ ବିମାନ ଚଳାଚଳ ପୁନଃ ଆରମ୍ଭ ଭଳି ବିଷୟରେ ଆଲୋଚନାକୁ ଗୁରୁତ୍ୱ ଦେବ ।
ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଚୀନରେ ହେବାକୁ ଥିବା SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦg ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ଏହାପୂର୍ବରୁ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ପ୍ରସ୍ତୁତ ରୋଡମ୍ୟାପ ଉପରେ ଗୁରୁତ୍ୱ ଦିଆଯାଉଛି । ଏଲଏସିର ଲଦାଖ ସେକ୍ଟରରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚୁକ୍ତି ପରେ ୨୦୨୪ ଅକ୍ଟୋବରରେ ଡେମଚୋକ ଓ ଦେପସାଙ୍ଗରେ ସୈନ୍ୟ ଅପସାରଣ ହେଉଛି ।
