କଟକ : ଭାଇଚାରାର ସହର କଟକକୁ ଫେରୁଛି ଶାନ୍ତି । କର୍ଫ୍ୟୁ ହଟିବା ପରେ ଏବେ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ୪୮ ଘଣ୍ଟା ପରେ କଟକ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସ୍ବାଭାବିକ ହୋଇଛି । ସୋସିଆଲ ମିଡିଆ ଉପରୁ ହଟିଛି କଟକଣା । ୫ତାରିଖ ସଂଧ୍ୟା ୭ଟାରେ ପ୍ରଥମେ ୨୪ଘଣ୍ଟା ଓ ୬ ସଂଧ୍ୟାରେ ପୁଣି ୨୪ ଘଣ୍ଟା ପାଇଁ ଲାଗିଥିଲା ଇଣ୍ଟରନେଟ କଟକଣା । ଏବେ କଟକ ସ୍ଥିତି ସ୍ବାଭାବିକ ହେବା ପରେ ସମସ୍ତ କଟକଣା ହଟାଇ ଦିଆଯାଇଛି ।ଗତକାଲି ସକାଳ ୧୦ଟାରେ କଟକର ୧୩ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯାଇଥିଲା ।

କର୍ଫ୍ୟୁ କୋହଳ ହୋଇଥିଲେ ବି ସାରା ସହର ପୁଲିସ ଫୋର୍ସ ବଳୟରେ ରହିଛି। ଛକ ଛକରେ ପୋଲିସ ପଇଁତରା ମାରୁଥିବା ବେଳେ କଡ଼ା ଚେକିଂ ଜାରି ରହିଛି । ଦରଘା ବଜାର ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ କଡ଼ା ପହରା ରହିଛି। ୩ତାରିଖ ରାତିରେ କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ୫ତାରିଖରେ ବାଇକ ଶୋଭାଯାତ୍ରା ବେଳେ ପୋଲିସ ସହ ମୁହାଁମୁହିଁ ହେବା ପରେ କର୍ଫ୍ୟୁ ଲାଗିବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।


