ଯାଜପୁର: ମଞ୍ଚ ଚଢ଼ିଲେ ପୀୟୂଷ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା ଜଲିଉଡର ଚର୍ଚ୍ଚିତ ଚେହେରା ତଥା ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀଙ୍କୁ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଯାତ୍ରା ସିଂହବାହିନୀ ପକ୍ଷରୁ ଚଳିତ ବର୍ଷର ନୂଆ ନାଟକ ‘ତୁ ମୋ ବଜରଙ୍ଗୀ’ରେ ପୀୟୂଷଙ୍କ ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ ।
ଏନେଇ ଚଣ୍ଡିଖୋଲରେ ପୀୟୂଷଙ୍କ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ବହୁ ବାଦ ବିବାଦ ପରେ ପ୍ରଥମ ଥର ଯାତ୍ରା ମଞ୍ଚରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଗତକାଲି ରାତିରେ ପୀୟୁଷ ଚଣ୍ଡିଖୋଲରେ ପହଞ୍ଚିବା ପରେ ତାଙ୍କର ଫ୍ୟାନମାନଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା । ଚଣ୍ଡିଖୋଲ ଛକ ଠାରୁ ପୀୟୁଷଙ୍କୁ ଏକ ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନାଟକରେ ତାଙ୍କୁ ଦେଖିବା ପାଇଁ ଟିକେଟ ସଂଗ୍ରହ କରି ଲମ୍ବାଧାଡିରେ ଦର୍ଶକ ଅପେକ୍ଷା କରିଥିଲେ ।
ତୁ ମୋ ବଜରଙ୍ଗୀ ନାଟକ ଦେଖିବା ପାଇଁ ଖଚାଖଚ ଭିଡ଼ ରହିଥିଲା । ମଞ୍ଚରେ ପୀୟୁଷଙ୍କ ଏଣ୍ଟ୍ରି ହେବା ମାତ୍ରେ ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ପରିବେଶ । ନାଟକରେ ପୀୟୁଷଙ୍କ ‘ରାମ’ ଚରିତ୍ର ଦର୍ଶକଙ୍କୁ ବେଶ ବାନ୍ଧି ରଖିପାରିଥିଲା । ଏହି ନୂଆ ନାଟକ ଦର୍ଶକଙ୍କୁ ବେଶ ଭଲ ଲାଗିବ ଏବଂ ପୂର୍ବ ଭଳି ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ପୀୟୂଷ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୀୟୁଷ ଯାତ୍ରା ମଞ୍ଚକୁ ଫେରିବା ପରେ ଦର୍ଶକଙ୍କ ସହ ସାଥି କଳାକାର ମଧ୍ୟ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।
