ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜରାଟ ଗସ୍ତ କରିଛନ୍ତି । ଗୁଜରାଟରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ରୋଡ ଶୋ କରି ଲୋକଙ୍କୁ ଅଭିବାଦନ ସ୍ବୀକାର କରିଥିଲେ । ଏହି ରୋଡ ଶୋର ନାମ୍ ‘ସିନ୍ଦୂର ସମ୍ମାନ ଯାତ୍ରା’ ରଖାଯାଇଛି । ଏହାସହିତ ଗୁଜରାଟରେ ମୋଦିଙ୍କୁ ସ୍ବାଗତ କରିଛନ୍ତି କର୍ଣ୍ଣେଲ ସୋଫିଆ କ୍ୟୁରେସୀଙ୍କ ପରିବାର ।
ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ତାଙ୍କ ଜନ୍ମଭୂମି ରାଜ୍ୟ ଗୁଜରାଟକୁ ଗସ୍ତ କରିଛନ୍ତି । ଦୁଇ ଦିନିଆ ଗସ୍ତରେ ଅଛନ୍ତି ମୋଦି । ଭଦୋଦରାରୁ ସେ ତାଙ୍କ ଗସ୍ତ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରୁ ବାୟୁସେନା ଗେଟ୍ ପର୍ଯ୍ୟନ୍ତ ଏକ କିଲୋମିଟର ଲମ୍ବା ରୋଡ୍ ଶୋ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୁଇ ଦିନରେ ୭୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଗୁଜରାଟରେ ତିନୋଟି ରୋଡ୍ ଶୋ ଏବଂ ତିନୋଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଭଦୋଦରା ପରେ, ପ୍ରଧାନମନ୍ତ୍ରୀ ମୋଦି ଦାହୋଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁଜ ଏବଂ ଅହମ୍ମଦାବାଦରେ ରୋଡ୍ ଶୋ କରିବେ । ପ୍ରଧାନମନ୍ତ୍ରୀ ସୋମବାର ରାତିରେ ରାଜଭବନରେ ରହିବେ । ମେ ୨୭ ତାରିଖରେ ମୋଦି ଗାନ୍ଧୀନଗରରେ ମହାତ୍ମା ମନ୍ଦିର ନଗର ଉନ୍ନୟନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଅହମ୍ମଦାବାଦରୁ ଦିଲ୍ଲୀ ଯିବେ ।
