ଚୀନ: ଚୀନ ତିଆନଜିନରେ ମହାଶକ୍ତିଙ୍କ ମହାବୈଠକ । ସାଙ୍ଘାଇ କୋପରେସନ ଅର୍ଗାନାଇଜେସନର ସଦସ୍ୟ ରାଷ୍ଟ୍ର ନେତା ଉପସ୍ଥିତ ରହିଛନ୍ତି । ବୈଠକ ସ୍ଥଳକୁ ଏକସାଙ୍ଗରେ ନଜର ଆସିଛନ୍ତି ମୋଦି, ପୁଟିନ ଓ ଜିନପିଙ୍ଗ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନର ରାଷ୍ଟ୍ରପତି ଶି ଜିନପିଂ ଏକାଠି କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଛନ୍ତି ।
ବୈଠକରେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥିଲେ । ମୋଦି-ପୁଟିନ କଥା ହୋଇ ଚାଲିଚାଲି ଯିବା ବେଳେ ସରିଫ ଏକ ପାଖରେ ଠିଆ ହୋଇ ରହିଥିଲେ । ସେହିପରି ପୁଟିନଙ୍କ ସହ ହାତ ମିଳେଇବାକୁ ଆସିଥିଲେ ପାକ ପିଏମ । ତେବେ ପୁଟିନ ତାଙ୍କୁ ହାତ ମିଳାଇଥିଲେ ବି ଗୁରୁତ୍ବ ଦେଇନଥିବା ଦେଖିବାକୁ ମିଳିଛି ।

ମୋଦି-ପୁଟିନ ଭେଟଘାଟ କିଛି ସମୟରେ ହେବ । ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଉପରେ ସାରା ବିଶ୍ବର ନଜର । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ । ଏ ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି ।

SCO ସମ୍ମିଳନୀରେ ଆତଙ୍କବାଦ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ପହଲଗାମ ଆକ୍ରମଣ କଥା ଉଠାଇଲେ । କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶକୁ ଧନ୍ୟବାଦ ଜଣାଇଥିଲେ । କିଛି ଦେଶ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରୁଥିବା କହିଛନ୍ତି । ବୈଠକରେ ୯ ଥର ଆତଙ୍କବାଦ କଥା କହିଥିଲେ । ଆତଙ୍କବାଦକୁ ଭାରତ କେବେ ବି ବରଦାସ୍ତ କରିବ ନାହିଁ ବୋଲି ପିଏମ ସ୍ପଷ୍ଟ କରିଛନ୍ତି । ଭାରତ ଟେରର ଫଣ୍ଡି ବିରୋଧରେ ବି ସ୍ବର ଉଠାଇଛି । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବା ଉଚିତ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢିବାକୁ ହେବ ।
