ଭୁବନେଶ୍ବର: ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ଵ । ମାମଲାର ତଦନ୍ତ କାରୀ ଅଧିକାରୀ ଭାବେ ସେ ଦାୟିତ୍ଵ ତୁଲାଇବେ । ସେ ଗୋଲାନ୍ଥରା ଥାନା ଯାଇ ମାମଲାର ସବୁ କାଗଜପତ୍ର ହାତକୁ ନେବେ । ବ୍ରହ୍ମପୁର ପୋଲିସ ପ୍ରାଥମିକ ଭାବେ ତଦନ୍ତ କରୁଥିଲେ । ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିଲା । କ୍ରାଇମବ୍ରାଞ୍ଚ ର ଜଣେ ଏସପି ମନିଟର କରିବେ ।

ସେପଟେ ଏହି ଘଟଣାରେ ସିଲିକନ୍ CEO ସୁରେଶ ନାୟକଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଏସଆଇ ପରୀକ୍ଷା ପାଇଁ ITI ଲିମିଟେଡକୁ ଦାୟିତ୍ବ ଦେଇଥିଲା । ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ବ ଦେଲା । ସିଲିକନ ସଂସ୍ଥା ପଞ୍ଚସଫ୍ଟକୁ ସବ କଣ୍ଟ୍ରାକ୍ଟ ଦେଲା । ସିଲିକନରୁ ସବକଣ୍ଟ୍ରାକ୍ଟ ନେଇଥିବା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିକୁ ଖୋଜୁଛି ପୋଲିସ । ପଞ୍ଚସଫ୍ଟ ଅଫିସ ସିଲ୍ କରାଯାଇଛି । ଏସଆଇ ପରୀକ୍ଷା ଜାଲିଆତିରେ ଶଙ୍କର ପୃଷ୍ଟିଙ୍କୁ କିଙ୍ଗପିନ୍ ବୋଲି କୁହାଯାଉଛି । ଶଙ୍କରର ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇରେ । କିନ୍ତୁ ସେ ଅଧିକାଂଶ ସମୟ ଭୁବନେଶ୍ୱରରେ ରହୁଥିଲେ । ଏବେ ଶଙ୍କର ଫେରାର ଅଛନ୍ତି । ମିଡଲ ମ୍ୟାନ ମୁନା ମହାନ୍ତି ମଧ୍ୟ ଫେରାର।

ମୁନାର ଘର ଖୋର୍ଦ୍ଧା ଜିଲ୍ଲା କଳାପଥର ଗାଁରେ । ଘଟଣାରେ ଆହୁରି ୧୦-୧୨ ଦଲାଲ ଥିବା ସନ୍ଦେହ କରାଯାଉଛି । ସବୁଠାରୁ ବଡ଼ କଥା, କିଏ ଥିଲା କିଙ୍ଗପିନ୍। ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀଙ୍କ ସମେତ ୩ ଦଲାଲ । ସେମାନଙ୍କୁ ଆନ୍ଧ୍ରର ବିଜୟନଗରମକୁ ବସରେ ନିଆଯିବା ବେଳେ ବ୍ରହ୍ମପୁର ପୋଲିସ ଧରିଥିଲା । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲା ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
