କଟକ, ନୂଆପଡ଼ା ସ୍ଥିତ ଓଡ଼ିଶା ସରକାରୀ ପ୍ରେସ କଲୋନୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କଟକ ସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ଭୋଳ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଓସେପା ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ରାଉତ, ବିଶିଷ୍ଟ ଶିକ୍ଷାବିତ୍ ନୃସିଂହ ପଣ୍ଡା, ଅଭିମନ୍ୟୁ ଦାସ ଓ ଯୋଗାଚାର୍ଯ୍ୟ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ଛାତ୍ରଛାତ୍ରୀମାନେ ସ୍ବଦେଶୀ ସଂକଳ୍ପ ପାଠ କରିଥିଲେ ଓ ବନ୍ଦେ ମାତରମ୍ ସାମୁହିକ ଗାନ କରିଥିଲେ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
