ଦୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଭାରତ ‘ଅପରେସନ୍ ସିନ୍ଦୂର’ରେ ୯ଟି ପାକିସ୍ତାନୀ ଆତଙ୍କୀବାଦ ସ୍ଥାନକୁ ଟାର୍ଗେଟ କରିଥିଲା । ମଙ୍ଗଳବାର-ବୁଧବାର ରାତି ୧:୦୫ ଟାରୁ ୧:୩୦ ମଧ୍ୟରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଏକ କ୍ୟାବିନେଟ ବୈଠକ କରିଛନ୍ତି। ବୈଠକରେ ମୋଦି ତାଙ୍କ କ୍ୟାବିନେଟ୍ ବୈଠକରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଅପରେସନ୍ ବିଷୟରେ ଅବଗତ କରାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସେନା ପ୍ରସ୍ତୁତି ଅନୁଯାୟୀ ଏବଂ କୌଣସି ଭୁଲ୍ ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହାସହିତ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର କ୍ୟାବିନେଟର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଯେ, ସମଗ୍ର ଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଛି ।
ରାଜନାଥ ସିଂହ କ୍ୟାବିନେଟ ବୈଠକରେ ସମସ୍ତଙ୍କୁ ଅପରେସନ ସିନ୍ଦୂର ବିଷୟରେ ଜଣାଇଥିଲେ । ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର । ‘ଅପରେସନ ସିନ୍ଦୂର’ ନେଇ ହେବ ଆଲୋଚନା । ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ଭାରତର ଭୂସ୍ୱର୍ଗ ଜମ୍ମୁ କଶ୍ମୀର ପହଲଗାମ ବୈସରଣ ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଯେଉଁଥିରେ ୨୬ ନୀରିହଙ୍କର ମୃତ୍ୟୁ ହୋଇଥିଲା । କେବଳ ପୁରୁଷଙ୍କୁ ଟାର୍ଗେଟ କରାଯାଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ଗୁଳି କରିଥିଲେ ଆତଙ୍କୀ । ୨୫ ମହିଳାଙ୍କ ସିନ୍ଦୂର ପୋଛିଥିଲେ ଆତଙ୍କୀ । ୧୫ ଦିନରେ ‘ଅପରେସନ ସିନ୍ଦୂର’ ଜରିଆରେ ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂର ଅଧରାତିରେ ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।
