ପୁରୀ(ଭିଓଭି): ମହୋଦଧି ବେଳାଭୂମିରେ ବିଦେଶୀ ମଦ କୁଟୀର ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ବିରୋଧ କରି ପୁରୀ ର ବହୁ ବୁୁଦ୍ଧିଜିବୀ, ସାମାଜିକ ସଂଗଠନ ଏବଂ ଧାର୍ମିକ ସଂଗଠନ ଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରଙ୍କ ଅବକାରୀ ରାଜସ୍ୱ ବୃଦ୍ଧି ପାଇଁ ତୀର୍ଥରାଜ ମହୋଦଧିର ଶ୍ରୀଜଗନ୍ନାଥ ସଂସ୍କୃତି ଅଧ୍ୟାତ୍ମିକ ପରିବେଶକୁ ଧୂଳିସାତ୍ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରି ମୋହନ ମାଝି ସରକାରଙ୍କ ଏହି ନିଷ୍ପତି ବିରୋଧରେ ଆନ୍ଦୋଳନ ଦାନା ବନ୍ଧୁଥିବାର ଜଣା ଯାଇଛି। ଶୁକ୍ରବାର ଠାରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ନୂଆ ଅବକାରୀ ନୀତି ଆନୁଯାୟୀ ପର୍ଯ୍ୟଟନର ବିକାଶ ପାଇଁ ବେଳାଭୂମିରେ ମଦ ବିକ୍ରି କେନ୍ଦ୍ର ଖୋଲାଯିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କିମ୍ବା ଯେକୌଣସି ବ୍ୟକ୍ତିଗତ ମାଲିକାନାରେ ଏହି କେନ୍ଦ୍ର ବର୍ଷିକିଆ ସରକାରୀ ଅନୁମତି ସୂତ୍ରରେ ଖୋଲାଯିବ। ପୁରୀର ପେଣ୍ଠକଟା ଠାରୁ ବଳିଆପଣ୍ଡା ମଙ୍ଗଳା ନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ଆଠ କି.ମି. ବେଳାଭୂମି ପର୍ଯ୍ୟଟନ ପାଇଁ ଯେତିକି ପ୍ରସିଦ୍ଧ, ତାଠାରୁ ବେଶୀ ତୀର୍ଥରାଜ ମହୋଦଧି କ୍ଷେତ୍ର ଭାବେ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। କେବଳ ପୁରୀ କିମ୍ବା ଓଡ଼ିଶା ନୁହେଁ, ବରଂ ଓଡ଼ିଶା ବାହାରୁ ଦୈନିକ ଶହ ଶହ ଶ୍ରଦ୍ଧାଳୁ ମହୋଦଧି ରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ଠାରୁ ଆରମ୍ଭ କରି ପିଣ୍ଡଦାନ, ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ପୁରୀର ମହୋଦଧି ତୀର୍ଥ ଅଙ୍ଗାଙ୍ଗୀ ଭାବେ ଜଡିତ। ମହୋଦଧି କୁ ଶ୍ରୀଜଗନ୍ନାଥଙ୍କ ଶ୍ୱଶୁର ବୋଲି କୁହାଯାଏ। ପ୍ରତ୍ୟେକ ଅମାବସ୍ୟା ତିଥିରେ ମହାପ୍ରଭୁ ଶ୍ରୀମନ୍ଦିରରୁ ମହୋଦଧିକୁ ବିଜେ କରିଥାନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ମହୋଦଧି ଆଳତୀ ଅନୁଷ୍ଠିତ ହୁଏ। ଭକ୍ତମାନେ ଶ୍ରଦ୍ଧା ଏବଂ ଭକ୍ତିର ସହ ତୀର୍ଥରାଜ ମହୋଦଧିରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଥାନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏଭଳି ଏକ ଆଧ୍ୟାତ୍ମିକ ପରିବେଶର ସୁରକ୍ଷା ଏବଂ ବିକାଶ କରିବା ପରିବର୍ତେ ସରକାର ସେଠାରେ ମଦ ଦୋକାନ ଖୋଲି ଏହି ପରିବେଶକୁ ଛାରଖାର କରିବାର ହୀନ ପ୍ରୟାସରୁ ନିବୃତ ରହିବାକୁ ବହୁ ସଂଗଠନ ଚେତାବନୀ ଦେଇଛନ୍ତି। ଏହି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଭିନ୍ନ ବୁଦ୍ଧିଜିବୀ ମହଲରେ ଦାବୀ କରାଯାଉ ଥିବାର ଜାଣିବାକୁ ମିଳିଛି।
