ନୂଆଦିଲ୍ଲୀ: ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଟ୍ରେନ ବଗିରେ ସିସିଟିଭି କ୍ୟାମେରା ଲଗାଯିବ । ୭୪ ହଜାର ବଗି ଓ ୧୫ ହଜାର ଲୋକମୋଟିଭରେ ସିସିଟିଭି କ୍ୟାମେରା ଲାଗିବ । ପୂର୍ବରୁ ପରୀକ୍ଷାମୂଳକ ଭାବରେ କିଛି ଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରତି ବଗିରେ ୪ଟି ଓ ଲୋକମୋଟିଭରେ ୬ଟି ସିସିଟିଭି କ୍ୟାମେରା ଲଗାଇବ ରେଲବାଇ। ଏଭଳି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ । ଏହା ଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଓ ସଂଗଠିତ ଅପରାଧୀଙ୍କ ଠାରୁ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ। କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ଡବାର ଦ୍ୱାର ନିକଟରେ ଥିବା ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍ ଓ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ । ଗତ ଶନିବାର ଅନୁଷ୍ଠିତ ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
