ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଲାଗି ରହିଛି । ବର୍ତ୍ତମାନ ଘନ କୁହୁଡ଼ି ଯୋଗୁଁ କମ୍ ଭିଜିବିଲିଟି ରହିଛି । ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ମଧ୍ୟ ଦୃଶ୍ୟମାନତା ଶୂନ୍ ରହିଛି । ଉତ୍ତର ଭାରତରେ ସମାନ ଥଣ୍ଡା ଏବଂ କୁହୁଡ଼ି ପରିସ୍ଥିତି ଜାରି ରହିପାରେ ବୋଲି IMD ପୂର୍ବାନୁମାନ କରିଛି ।
ସୂଚନାନୁଯାୟୀ, ପଞ୍ଜାବ,ହରିୟାଣା ଏବଂ ଚଣ୍ଡିଗଡର କିଛି ଅଞ୍ଚଳରେ ଆହୁରି ୨ ଦିନ ପର୍ଯ୍ୟନ୍ତ ଥଣ୍ଡା ଏବଂ କୁହୁଡ଼ି ଜାରି ରହିବ । ଜାନୁଆରୀ ୧୬ ଏବଂ ୧୭ ତାରିଖରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥଣ୍ଡା ଲହରୀ ଜାରି ରହିବ । ସେହିପରି ଜାନୁଆରୀ ୧୬ ତାରିଖରେ ରାଜସ୍ଥାନ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଏହି ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଲକ୍ଷ୍ନୌରେ କୁହୁଡ଼ି ଜାରି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ ପ୍ରବଳ ଥଣ୍ଡା ଏବଂ କୁହୁଡି ଯୋଗୁଁ ନୋଏଡା ଏବଂ ଗ୍ରେଟର ନୋଏଡାରେ ଜାନୁ୍ଆରୀ ୧୭ ତାରିଖ ପର୍ଯ୍ୟନ୍ତ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲର ଛୁଟିକୁ ବନ୍ଦ କରାଯାଇଛି । ଏଥିସହ ସକାଳେ କମ୍ ଭିଜିବିଲିଟି ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନବନ୍ଦରରେ କିଛି ବିମାନ ବିଳମ୍ବ କରିଛି । କୁହୁଡ଼ି ଯୋଗୁଁ ଅବତରଣ ଏବଂ ଉଡ଼ାଣ ସମୟରେ ସତର୍କତା ଅବଲମ୍ବନ କରାଯାଉଛି । ଆଗାମୀ କିଛି ଦିନ ପାଇଁ ଥଣ୍ଡା ଏବଂ କୁହୁଡ଼ି ଜାରି ରହିବ ବୋଲି ଆଶା କରାଯାଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଯାତ୍ରୀମାନଙ୍କୁ ବିମାନ ଅପଡେଟ୍ ପାଇଁ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।
