ଭୁବନେଶ୍ୱର : ସ୍ଥାନୀୟ ଏକାମ୍ର ମହାବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ମୂଲ୍ୟବୋଧ ଶିକ୍ଷାର ସାମଗ୍ରିକ ଅଭିମୁଖ୍ୟ’ ପ୍ରସଙ୍ଗରେ କାର୍ଯ୍ୟବାହୀ ଅଧ୍ୟକ୍ଷା ରୀତା ଧଳ ବିଶୋୟୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ଡ. ସ୍ୱଚ୍ଛ ସଲିଳା ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷା ଦଳ ବିଶୋଇ ଉଦ୍ଘାଟନୀ ଭାଷଣରେ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀ ଦେବବ୍ରତ ମହାନ୍ତି ମୂଲ୍ୟବୋଧ ଶିକ୍ଷାର ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ମୁଖ୍ୟଅତିଥି ତଥା ପ୍ରବକ୍ତା ପ୍ରାଧ୍ୟାପିକା ଡ. ତରୁଲତା ଦେବୀ ‘ମୂଲ୍ୟବୋଧ ଶିକ୍ଷାର ସାମଗ୍ରିକ ଅଭିମୁଖ୍ୟ’ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ସାମ୍ପ୍ରତିକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଧାରରେ ମୂଲ୍ୟବୋଧ ଶିକ୍ଷାର ପ୍ରାସଙ୍ଗିକତା, ମନ, ହୃଦୟ ତଥା ଇଚ୍ଛାଶକ୍ତି ପରିପୃଷ୍ଟ ତଥା ନିୟନ୍ତ୍ରଣ କରିବାରେ ଏହି ଶିକ୍ଷାର ଆବଶ୍ୟକତା ଏବଂ ଏହାର ବିଭିନ୍ନ ପ୍ରୟୋଗାତ୍ମକ ପଦ୍ଧତି ଉପରେ ଉଦାହରଣ ସହ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ.ସଦାନନ୍ଦ ମିଶ୍ର ମୂଲ୍ୟବୋଧର ପ୍ରକୃତ ଅବକ୍ଷୟ ନୁହେଁ, ବରଂ ପରିବର୍ତ୍ତିତ ସମୟ ତଥା ସାମାଜିକ ସ୍ଥିତି ଅନୁସାରେ ପ୍ରକୃତ ମୂଲ୍ୟବୋଧର ପରିଭାଷା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପିକା ବନିତା ରାଣୀ ଦାଶ ମୂଲ୍ୟବୋଧ ଶିକ୍ଷାର ସମ୍ଭାବନା, ଅସୁବିଧା ତଥା ଏହାର କାର୍ଯ୍ୟକାରିତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନାଚକ୍ରରେ ଶିକ୍ଷାର୍ଥୀ ଅଭିଷେକ ଆଚାର୍ଯ୍ୟ, ଅଙ୍କତା ପାତ୍ର, ତକ୍ରିମ୍ ଖାନ୍ ସେମାନଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ଡ. ସୁଜାତା ମିଶ୍ର, ପ୍ରଦର୍ଶକ କୃଷ୍ଣ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ କାହ୍ନା, ସ୍ୱାତୀ ଦୀପୁ, ପ୍ରାଚୀ, ରାଜେଶ, ଶୁଭଶ୍ରୀ ପ୍ରମୁଖ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ, ବରିଷ୍ଠ, କନିଷ୍ଠ ଅଧ୍ୟାପକ, କର୍ମଚାରୀ ତଥା ଶିକ୍ଷା ବିଭାଗର ସମସ୍ତ ଛାତ୍ରଛାତ୍ରୀ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରାଧ୍ୟାପିକା ଅର୍ଚ୍ଚନା ମହାପାତ୍ର ଧନ୍ୟବାଦ୍ ଦେଇଥିଲେ।
