ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀ ଶ୍ରୀମନ୍ଦିର ରତ୍ନ ବେଦୀ ଛାଡ଼ି ସ୍ନାନ ବେଦୀକୁ ବିଜେ କରିବେ ମହାପ୍ରଭୁ l ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । କାଲି ଅପରାହଣ ୪ଟାରେ ଦୁର୍ଲଭ ହାତୀ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଏଥିପାଇଁ ଏବେଠୁ ପୁରୀରେ ବଢ଼ିଲାଣି ଗହଳିଚହଳି । ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ l

ଆଜି ମହାପ୍ରଭୁଙ୍କ ପହଣ୍ଡି ଲାଗି ପ୍ରଥମେ କୋଠ ସୁଆସିଆମାନେ ସିଂହାସନରେ ଚାର ମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି l ସ୍ନାନ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହେବେ । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି , ପୁରୀ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପୁରୀ ବଡ଼ ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ନଜରରେ ରହିବ । ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ପାଣି ବ୍ୟବସ୍ଥା ହୋଇଛି ।
