ଭୁବନେଶ୍ୱର: ରାଜଧାନୀର ସର୍ବପୁରାତନ ବିଏମସି ଡାକ୍ତରଖାନାକୁ ଉପେକ୍ଷା କରାଯାଉଛି । ବର୍ଷ ବର୍ଷ ଧରି ବାହ୍ୟ ଠିକାକର୍ମଚାରୀଙ୍କୁ ନେଇ ଏହି ଡାକ୍ତରଖାନା ଚାଲିଛି । ଫାର୍ମାସିଷ୍ଟ, ଲାବରେଟୋରୀ ଟେକ୍ନିସିଆନ, ରେଡିଓଗ୍ରାଫର, ଷ୍ଟାଫନର୍ସ, ଆଟେଣ୍ଡାଣ୍ଟ ଆଦି ପଦ ଠିକାସଂସ୍ଥା ପୂରଣ କରୁଛି । ୫୧ କର୍ମଚାରୀ ବାହ୍ୟ ଠିକାରେ କାର୍ଯ୍ୟ କରୁଛନ୍ତି । ଫଳରେ ଡାକ୍ତରଖାନାରେ ଉନ୍ନତମାନର ଚିକିତ୍ସା ସେବା ମିଳିପାରୁ ନାହିଁ ବୋଲି ଅଭିଯୋଗ ହୋଇଛି । ହସ୍ପିଟାଲରେ ଆବଶ୍ୟକ ମୁତାବ ଡାକ୍ତରଙ୍କ ସମେତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ପ୍ରତ୍ୟେକ ମାସେର ସେବା ପ୍ରତିନିଧି ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି । କିନ୍ତୁ ଏଯାବତଏନେଇ କୌଣସି ସୁଫଳ ମିଳିପାରିନାହିଁ ।
ହସ୍ପିଟାଲ ୨୪ଘଣ୍ଟା ଖୋଲାଯାଉଛି ସତ ହେଲେ ଅଭିଜ୍ଞ ଡାକ୍ତର ନାହାନ୍ତି । ତେଣୁ ଗୁରୁତର ରୋଗୀମାନେ ହସ୍ପିଟାଲକୁ ଆସିବାକୁ ଭୟ କରୁଛନ୍ତି । ଅନ୍ୟପକ୍ଷରେ ଏହି ହସ୍ପିଟାଲକୁ ଉପଜିଲ୍ଲା ଡାକ୍ତରଖାନା (ଏସଡିଏଚ) ମାନ୍ୟତା ପ୍ରଦାନ କରାଯିବା ନିଷ୍ପତ୍ତି ସଫଳ ହୋଇପାରିଲା ନାହିଁ । ଫଳରେ ଭିତ୍ତିଭୂମି ସଜଡାଯାଇପାରୁନାହିଁ । ଏଠାରେ ଶଲ୍ୟ, ଭୋଷଜ, ଓ ପ୍ରସୂତି ୱାର୍ଡରେ ରୋଗୀସେବା ଚାଲିଥିବାବେଳେ ଅସ୍ଥିଶଲ୍ୟ, ଦନ୍ତ, ଚକ୍ଷୁ, ନଶ୍ଚେତକ, ଇଏନଟି, ଶିଶୁବିଭାଗ, ଫିଜିଓଥେରାପି ଓ ନିଦାନ ବିଭାଗରେ କେବଳ ଓପିଡି ସେବା ଚାଲିଛି । ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଓପିଡି ଖୋଲା ରହୁଛି । ସଂଧ୍ୟା ସମୟରେ ଓପିଡ଼ି ବନ୍ଦ ରହୁଛି । କାରଣ ଏଠାରେ ଆବଶ୍ୟକ ମୁତାବକ ଡାକ୍ତର ନାହାନ୍ତି ।
ବିଏମସି ହସ୍ପିଟାଲରେ ହୃଦରୋଗ ବିଭାଗ ପାଇଁ ସ୍ୱତନ୍ତ୍ର କୋଠା ନିର୍ମାଣ କରାଯାଇଛି । କିନ୍ତୁ ହୃଦରୋଗ ଚିକିତ୍ସା ଭିତ୍ତିଭୂମି ଦିଗରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ହୃଦରୋଗ କୋଠାରେ ଏବେ ବର୍ହିବିଭାଗ ଚିକିତ୍ସା ଚାଲିଛି । ସୂଚନାଯୋଗ୍ୟ ୨୦୧୭ରେ ବିଏମସି ହସ୍ପିଟାଲକୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟମିଶନ ଅଧିନକୁ ଟେକି ଦିଆଯାଇଥିଲା । ସେବେଠାରୁ ଏହା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଲାଭ କରିଛି । ଏହା ପୂର୍ବରୁ ଡାକ୍ତରଖାନାରେ ଅନେକ ବିଭାଗ ଖୋଲାଯାଇଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ ସେଗୁଡ଼ିକ ବନ୍ଦ କରିଦିଆଯାଇଛି ।
